ନୂଆପଡ଼ା : ମଣ୍ଡିରେ ଧାନ ବିକ୍ରି କରିବାରୁ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ ବେଲଟୁକୁରୀ ଥାନା ଅନ୍ତର୍ଗତ ଭାନପୁର ଗାଁରେ। ପୀଡ଼ିତ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଦୁଃଖ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାନପୁର ଗାଁର ବ୍ରିଜଲାଲ ରଣାଙ୍କ କହିବାନୁସାରେ, ଦୁଇ ପୁଅ, ବୃଦ୍ଧା ମା’ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର। ନିଜ ନାମରେ ଥିବା ୬ ଏକର ଜମି ସହ ପରିବାର ସଦସ୍ୟଙ୍କ ନାମରେ ଥିବା ପାଖାପାଖି ୧୦ ଏକର ଜମି ଓ ଭାଗ ଚାଷ ଭାବେ ପ୍ରାୟ ୪ ଏକର, ଏହିପରି ୨୦ ଏକରରୁ ଅଧିକ ଜମିରେ ଚଳିତ ଖରିଫ ଋତୁରେ ଧାନ ଚାଷ କରିଥିଲେ। ଏଥର ସ୍ୱଳ୍ପ ବୃଷ୍ଟି ସାଂଗକୁ ରୋଗ ପୋକ ଦାଉ ସାଧିଥିବା ବେଳେ ଧାନ ଅମଳ କମି ଯାଇଥିଲା। ଫଳରେ ମାତ୍ର ୧୫୦ ବସ୍ତା ଧାନ ହୋଇଥିଲା। କୁଲିଆବନ୍ଧା ମଣ୍ଡିରେ ୪୬.୨୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ତେବେ, ଧାନ ଅମଳ ଭଲ ହୋଇନଥିବାରୁ ଶତ ପ୍ରତିଶତ ସବ୍ସିଡି ଦାବିରେ ଭାନପୁର ଗାଁ ଲୋକେ ମଣ୍ଡିରେ ଧାନ ନବିକିବା ପାଇଁ ସମସ୍ତଙ୍କୁ ଦାଗିଦ କରିଥିଲେ। ହେଲେ ଶ୍ରମିକ ପାଉଣା ଓ ଡାଉନ ପେମେଣ୍ଟ ଦେଇ କିଣିଥିବା ବାଇକ୍ର ବକେୟା ଟଙ୍କା ଦେବା ପାଇଁ ବ୍ରଜଲାଲ କୁଲିଆବନ୍ଧା ମଣ୍ଡିରେ ବିକିଥିବା କହିଛନ୍ତି।
ଗୁରୁବାର ରାତିରେ ଗାଁ ମୁଖିଆଙ୍କ ଦ୍ୱାରା ଗାଁ ମଝିରେ ଏକ ବୈଠକ ବସିଥିଲା। ଗାଁ କଥାକୁ ବିରୋଧ କରିଥିବା ବ୍ରିଜଲାଲଙ୍କ ପ୍ରତି ଆର୍ଥିକ ଦଣ୍ଡ ସହ ସାମାଜିକ ବାସନ୍ଦ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ପୁଣି ଶକ୍ରବାର ସକାଳୁ ବ୍ରିଜଲାଲ କରିଥିବା ଦୋଷ ଯୋଗୁ ତାଙ୍କ ପାଇଁ ଗାଁ ଦାଣ୍ଡ, ନିଅାଁପାଣି, କଥାବାର୍ତ୍ତା ସବୁ ବନ୍ଦ; ଯିଏ କଥା ହେବ ତାକୁ ୫୦୦୧ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ଫଳରେ ବ୍ରିଜଲାଲଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ଶୁକ୍ରବାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ତହସିଲଦାରଙ୍କୁ ଜଣାଇଛନ୍ତି।
ପୂର୍ବ ନିର୍ଦ୍ଧାରିତ ବୈଠକରେ ଅନୁପସ୍ଥିତି ଯୋଗୁଁ ବ୍ରିଜଲାଲ ଧାନ ବିକ୍ରି ନେଇ କିଛି ଜାଣି ନ ଥିଲେ ଏବଂ ତାଙ୍କ ଚାଷରୁ ଅମଳ ହୋଇଥିବା ଧାନକୁ କୁଲିଆବନ୍ଧା ମଣ୍ଡିରେ ବିକ୍ରି କରି ଦେଇଥିଲେ ବୋଲି କହିଛନ୍ତି। ଫସଲ ନଷ୍ଟ ବାବଦକୁ ଗ୍ରାମବାସୀ ୭୫ ପ୍ରତିଶତ ସବସିଡି ପାଇବାରୁ ବଂଚିତ ହେଉଥିବାରୁ ବ୍ରିଜଲାଲଙ୍କୁ ଉକ୍ତ ସବସିଡି ପ୍ରଦାନ କଲେ ଗ୍ରାମରେ ସାମିଲ କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନୂଆପଡ଼ା ତହସିଲଦାର ଜୟଶ୍ରୀ ପାଢ଼ୀଙ୍କୁ ପଚାରିବାରୁ ‘ସବସିଡି ସହିତ ଧାନ ବିକ୍ରିର କିଛି ସଂପର୍କ ନାହିଁ; ଧାନ ବିକ୍ରିକୁ ନେଇ କାହାକୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ’ ବୋଲି କହିଛନ୍ତି।