ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ଡ଼ମାଗୁଡାବାସୀଙ୍କ ଶୋଷ ମେଣ୍ଟିବ କେବେ?

ଘୁ.ଉଦୟଗିରି: ପ୍ରଚଣ୍ଡ ରୌଦ୍ରତାପକୁ ପ୍ରବଳ ଗରମ ଗୁଳୁଗୁଳିରେ ଅସହ୍ୟ ହେଉଛି ଜୀବନ। ଏହିଭଳି ପରିସ୍ଥିତିରେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଡ଼ମାଗୁଡ଼ାବାସୀ। ଦୀର୍ଘ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି ଘୁ .ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତର ୧୧ନଂ ୱାର୍ଡର ଡୁଗୁଡ଼ିପାରି ଡମାଗୁଡ଼ା ଗ୍ରାମରେ ଥିବା ନଳକୂପ। ଟୋପାଏ ପିଇବା ପାଣି ପାଇଁ ସଙ୍ଘର୍ଷ କରିବାକୁ ପଡୁଛି। ଦୀର୍ଘ ରାସ୍ତା ଗଲେ ମିଳୁଛି ପିଇବା ପାଣି। ଗାଁ ପାଖରେ ଅଛି ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ। ସେଇ ଗୋଟିଏ ସୋଲାର ପ୍ରକଳ୍ପ ଉପରେ ତିନି ଖଣ୍ଡ ଗାଁ ଯଥା ରେଗାଁସାହି, ଦୁବେ ସାହି ଏବଂ ଡମାଗୁଡାର ୮୦ରୁ ଊର୍ଦ୍ଧ୍ବ ପରିବାର ନିର୍ଭରଶୀଳ। ଏହି ସୋଲାର ପାନୀୟ ଜଳ ପ୍ରକଳ୍ପ ରେ ବି ସମସ୍ୟା ଭରି ରହିଛି।ମାତ୍ର କିଛି ସମୟ ପାଣି ଆସୁଛି ତାପରେ ବନ୍ଦ ଏହିଭଳି ଅବସ୍ଥାରେ ଜୀବନ କାଟୁଛନ୍ତି ଏହି ଗାଁ ଲୋକ।ସମସ୍ୟା ବୁଝିବାକୁ କେହି ନାହାନ୍ତି। ଡମାଗୁଡ଼ାରେ ଥିବା ଏକ ମାତ୍ର ନଳକୂପ ଦୀର୍ଘ ବର୍ଷ ହେଲା ଅଚଳ ହୋଇପଡ଼ିଛି।

ବିଭାଗୀୟ କର୍ମଚାରୀ ଆସି ନଳକୂପ ମରାମତି କରି ବିଫଳ ହେବା ପରେ ଏଥିରେ ରଙ୍ଗ ଦେଇ ଅଚଳ ଚିହ୍ନଟ କରି ଚୁପ ହୋଇ ବସିଛନ୍ତି। ଗୋଟିଏ ନଳକୂପ ଅଚଳ ହେବା ପରେ ଆଉ ଗୋଟିଏ ନଳକୂପ ଖୋଲିବାକୁ ଭୁଲି ଯାଇଛନ୍ତି। ଲୋକ ପାଣି କେମିତି ପାଇବେ କେମିତି ବଞ୍ଚିବେ ଭୁଲି ଯାଇଛନ୍ତି ବିଭାଗୀୟ ଅଧିକାରୀ। କେବଳ ନାମକୁ ମାତ୍ର ବସୁଧା ଯୋଜନାରେ ପାଇପ୍ ବିଛା ଯାଇଛି। କିନ୍ତୁ ଟୋପାଏ ପାଣି ମିଳୁନି। ବର୍ତ୍ତମାନ୍ କୋଉଠି ପାଣି ପାଇପ୍ ଫାଟି ଗଲାଣି ତ କେଉଠି ପାଣି ଟ୍ୟାପ୍‌ ମଧ୍ୟ ଭାଙ୍ଗିଲାଣି।

ଏବିଷୟରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ଅଚଳ ନଳକୂପ ଟିକୁ ମରାମତି କରିବା କିମ୍ବା ଏକ ନୂତନ ନଳକୂପ ଖନନ କରିବା ସହିତ ବିଛାଯାଇଥିବା ପାଇପ୍‌ରେ ପାଣି ଯୋଗାଣ ଯେପରି ହୋଇପାରିବ ସେ ଦିଗରେ ଯଥାଶୀଘ୍ର ଦୃଷ୍ଟି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ନିକଟରେ ଗ୍ରାମବାସୀ ନେହୁରା ହୋଇ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର