ବିଦ୍ୟୁତ୍ ତାର ଲାଗି ୨ ମୃତ, ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ମା’
ବ୍ରହ୍ମପୁର: ବିଦ୍ୟୁତ ତାର ଲାଗି ମା’-ପୁଅଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳରେ ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଖଲିକୋଟ ବ୍ଲକର ବାକୁଟୁ ଗାଁରେ ଆଜି ଅପରାହ୍ଣରେ ଘରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଜାଡ଼ିବାକୁ ପୁଅ ନାରାୟଣ ନାହାକ (୩୫) ଉଦ୍ୟମ କରୁଥିଲେ। ଛିଣ୍ଡା ତାରରେ କରେଣ୍ଟ ଥିବା ସଂପର୍କରେ ଯୁବକ ଜାଣି ନଥିଲେ। ଫଳରେ ବିଦ୍ୟୁତ୍ ତାର ଆଘାତ ପାଇବା ପରେ ଛଟପଟ ହେଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଅ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଦୃଶ୍ୟକୁ ଦେଖି ମା’ ସଜନୀ ନାହାକ (୫୫) ନିଜକୁ ନିୟନ୍ତ୍ରଣରେ ରଖିପାରି ନଥିଲେ। ସେ କୌଣସି ଉପାୟ ନପାଇଁ ସିଧାସଳଖ ପୁଅକୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ବିଦ୍ୟୁତ ତାର ଲାଗିବା ପରେ ଉଭୟ ମା’-ପୁଅଙ୍କୁ ଖଲିକୋଟ ହସ୍ପିଟାଲ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଉଭୟ ମା’-ପୁଅଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ପଠାଯାଇଛି।
ନିଜର ଅସାବଧାନତା ଯୋଗୁଁ ଖବୁ ଅଳ୍ପ ସମୟ ମଧ୍ୟରେ ମା’ପୁଅଙ୍କ ମୃତ୍ୟୁ ହେବା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଉଭୟ ମା’-ପୁଅଙ୍କ ମୃତ୍ୟୁ ପରେ ବାକୁଟୁ ଗାଁରେ ଶୋକର ଛାୟା ଖେଳିଯାଇଛି।