ଗାଁରୁ ତଡ଼ିପାର ହୋଇଥିବା ପରିବାର ସଦସ୍ୟଙ୍କ ମୃତ୍ୟୁ, ୨୪ଘଣ୍ଟା ପରେ ପୁଲିସ ଉପସ୍ଥିତିରେ ଶବଦାହ

ଏରସମା : ଏରସମା ବ୍ଲକ ଅର୍ନ୍ତଗତ ନୂଆଡ଼ିହି ପଞ୍ଚାୟତ ଦଶିପୁର ଗାଁରେ ଥିବା ବିବାଦ ଉଗ୍ର ରୂପ ନେଇଛି। ଗାଁରେ ଗତକାଲିଠାରୁ ବାବାଜି ସ୍ବାଇଁ(୮୦)ଙ୍କ ମୃତ୍ୟୁ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଶବଦାହ ହୋଇ ପାରି ନଥିଲା। ୨୦୧୬ ମସିହାର ଏକ ହତ୍ୟାକାଣ୍ଡ ପରେ ଗାଁରୁ ତଡ଼ିପାର ହୋଇଥିବା ପରିବାରର ସଦସ୍ୟ ହୋଇଥିବାରୁ ମୃତ ବାବାଜିଙ୍କ ଶବଦାହରେ ଗ୍ରାମବାସୀ ପ୍ରତିବନ୍ଧକ ସାଜିଥିଲେ। ମୃତକଙ୍କ ପରିବାର ଲୋକ ଏରସମା ଥାନା ଦ୍ବାରସ୍ଥ ହେବା ପରେ ପୁଲିସ ହସ୍ତ‌କ୍ଷେପ ପରେ ଆଜି ଅପରାହ୍ନରେ ଶବ ଦାହ କରାଯାଇଛି।

ସୂଚନା ଅନୁଯାୟୀ,୨୦୧୬ ମସିହାରେ ନୂଆଡ଼ିହି ପଞ୍ଚାୟତର କଂଗ୍ରେସ ସମର୍ଥିତ ସମିତି ସଭ୍ୟ ଦଶିପୁର ଗାଁର ରଂଜନ କୁମାର ସ୍ବାଇଁଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଦଶିପୁର ଗାଁର ୫ଟି ପରିବାରକୁ ଗ୍ରାମବାସୀ ବାସନ୍ଦ କରିଥିଲେ। ମାତ୍ର ମୃତ ବାବାଜି ଓ ତାଙ୍କର ଜଣେ ବିଧବା ବୋହୂ ଗାଁରେ ରହିଥିଲେ। ସେମାନଙ୍କର ଏହି ମାମଲା ସହ କୌଣସି ସମ୍ପୃକ୍ତି ନଥିବା ଓ ପୁଅ ଶ୍ୟାମଚନ୍ଦ୍ରଠାରୁ ବାବାଜି ଅଲଗା ରହୁଥିବାରୁ ତାଙ୍କୁ ଗାଁରେ ରହିବାକୁ ଅନୁମତି ମିଳିଥିଲା। ଗତକାଲି ବାବାଜିଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ତାଙ୍କ ପୁତ୍ର ଓ ଅନ୍ୟମାନେ ଗାଁକୁ ଆସି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ପ୍ରୟାସ କରିଥିଲେ। ମାତ୍ର ସେମାନଙ୍କୁ ଗାଁରେ ପ୍ରବେଶ କରିବା ପାଇଁ ଅନୁମତି ମିଳିନଥିଲା। ଫଳରେ ବାବାଜିଙ୍କ ମୃତଦେହ ସେମିତି ଗାଁରେ ପଡ଼ି ରହିଥିଲା। ଅନ୍ୟ ଉପାୟ ନ ପାଇ ଶ୍ୟାମଚନ୍ଦ୍ର ଶ୍ୟାମଚନ୍ଦ୍ର ଏରସମା ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ଏରସମା ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝୀ ପୁଲିସ ଫୋର୍ସ ସହ ଗାଁରେ ପହଞ୍ଚିଥିଲେ। ଗାଁରେ ମୁଖିଆମାନଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବା ପରେ ବାବାଜିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ମାତ୍ର ସେଥିରେ ବାବାଜିଙ୍କ ସାହି ଲୋକମାନେ ସାମିଲ ହୋଇ ନଥିଲେ।

ସମ୍ବନ୍ଧିତ ଖବର