କଟକ : ଗାନ୍ଧୀ ଜୟନ୍ତୀରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଓଡ଼ିଶା ଶାଖା ପକ୍ଷରୁ ଆଜି ୧୨ ଘଣ୍ଟିଆ ଅନଶନ କରାଯାଇଛି। ସଂଘର ସଦସ୍ୟମାନେ ୨୨ ଦଫା ଦାବିପୂରଣ ପାଇଁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଧାରଣା ତଥା ଅନଶନ କରିଛନ୍ତି। ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୭ଶହ ଶାଖାର ପ୍ରାୟ ୩ ଲକ୍ଷରୁ ଅଧିକ ଡାକ୍ତର ଆଜିର ଏହି ପ୍ରତିବାଦ ପ୍ରତି ସମର୍ଥନ ଦେଇଛନ୍ତି। ସଂଘର ଓଡ଼ିଶା ଶାଖା ସଂପାଦକ ଡାକ୍ତର ଜନ୍ମେଜୟ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ବଢୁଥିବା ହିଂସାତ୍ମକ ଘଟଣା ରୋକିବା ଦିଗରେ ଦୃଢ ପଦକ୍ଷେପ ନେବା, ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା ନିୟମକୁ କଡ଼ାକଡି କରିବା, ଚିକିତ୍ସା କ୍ଷେତ୍ରରେ ବୃତ୍ତିଗତ ସ୍ୱାଧୀନତା ଦିଆଯିବା, ଗୋଟିଏ ଔଷଧ-ଗୋଟିଏ କଂପାନି-ଗୋଟିଏ ଦର ନିୟମ କାର୍ଯ୍ୟକାରୀ କରିବା, ଅନ୍ତ ମନ୍ତ୍ରିସ୍ତରୀୟ କମିଟିର ପ୍ରସ୍ତାବକୁ ୬ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବା, ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଜିଡିପିର ୫ ପ୍ରତିଶତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରିବାକୁ ବଜେଟ୍ ବ୍ୟବସ୍ଥା କରିବା ଭଳି ୨୨ଟି ଦାବି ପୂରଣ ପାଇଁ ପ୍ରସ୍ତାବ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଆଇଏମ୍ଏ ଓଡ଼ିଶା ଶାଖା ସଭାପତି ଡାକ୍ତର ଇ. ଜୟନ୍ତୀ ରାଓ ଏବଂ ବିତ୍ତ ସଂପାଦକ ଡାକ୍ତର ବ୍ରଜକିଶୋର ଦାଶ କହିବା ଅନୁଯାୟୀ କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ୍ ଆକ୍ଟ୍ (ସିଇଏ)କୁ ଯେଭଳି ଢଙ୍ଗରେ ଲାଗୁ କରାଯାଉଛି, ତାହା ଡାକ୍ତରୀ ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ସାମଗ୍ରିକ ଭାବେ କ୍ଷତି ପହଞ୍ଚାଉଛି। ବାସ୍ତବତାକୁ ଦୃଷ୍ଟିରେ ରଖି ଏଭଳି କରାଯାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଡାକ୍ତର ଜାଣିଶୁଣି କୌଣସି ରୋଗୀର କ୍ଷତି କରି ନଥାଏ। ତେଣୁ ଜଣେ ଡାକ୍ତର ଥିବା ପ୍ରତିଷ୍ଠାନକୁ ସିଇଏରୁ ବାଦ୍ ଦିଆଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।
ଆଇଏମ୍ଏ ପକ୍ଷରୁ ବରିଷ୍ଠ ଡାକ୍ତରମାନଙ୍କ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।