ବଡ଼ବିଲରେ ହାଜତ ମୃତ୍ୟୁ! ପତ୍ନୀହତ୍ୟା ଅଭିଯୁକ୍ତର ମୃତ୍ୟୁକୁ ନେଇ ହଇଚଇ, ତଦନ୍ତ ନିର୍ଦେଶ ଦେଲେ କେନ୍ଦୁଝର ଏସ୍‌ପି

ବଡ଼ବିଲ :କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ହାଜତରେ ଅଘଟଣ। ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ‌ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର। ୨୪ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସଦର ପିସିଆର୍‌ ସେଲ୍‌ ଡିଏସ୍‌ପି ଜି.ବାର୍ଲାଙ୍କୁ ନିର୍ଦେଶ ଦିଆଯାଇଛି। ମୃତକ ହେଲେ ବଡବିଲ ସେଡ଼ିଙ୍ଗ ବସ୍ତିର ସୁରେଶ ନାଏକ (୫୩)।

ଘଟଣାରୁ ପ୍ରକାଶ ଯେ, ଗତ ୧୮ ତାରିଖରେ ବଡ଼ବିଲ ଥାନା ସେଡ଼ିଙ୍ଗ ବସ୍ତିରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ବସ୍ତିର ସୁରେଶ ନାଏକ ନିଜ ପତ୍ନୀ ବାସନ୍ତୀଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା। ସୁରେଶଙ୍କ ପୁଅ ଏ ସଂପର୍କରେ ବଡ଼ବିଲ ଥାନରେ ଅଭିଯୋଗ କରିଥିଲେ। ପୁଲିସ ୧୮ ତାରିଖ ଦିନ ହିଁ ସୁରେଶକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ଆଜି ସକାଳୁ ସୁରେଶକୁ ଗୁରୁତର ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାର ତାର ମୃତ୍ୟୁ ଘଟିଥିଲା। ସକାଳୁ ସକାଳୁ ଜଣେ ହତ୍ୟା ଅଭିଯୁକ୍ତର ଅସ୍ବାଭାବିକ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂପର୍କରେ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କୁ ପଚରାଯିବାରେ ଅଭିଯୁକ୍ତ ସୁରେଶ ନାଏକ ଆଜି ସକାଳ ପ୍ରାୟ ୬ଟା ୧୫ରେ ଥାନା ପରିସରରେ ବେକରେ ଏକ ଗାମୁଛା ବାନ୍ଧି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ସେଠାରେ କାର୍ଯ୍ୟରତ ଥିବା ସେଣ୍ଟ୍ରି ସଙ୍ଗେସଙ୍ଗେ ସୁରେଶକୁ ଉଦ୍ଧାର କରି ଅନ୍ୟ ପୁଲିସ କର୍ମଚାରୀଙ୍କ ସହଯୋଗରେ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ସକାଳ ପ୍ରାୟ ୭ଟା ୩୦ ରେ ସୁରେଶଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୌଭାଗ୍ୟ ରଶ୍ମିରଂଜନ ସାମଲ ସୂଚନା ଦେଇଥିଲେ। ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ ହେବାରୁ ସୁରେଶର ମାନସିକ ସ୍ଥିତି ଭଲ ନଥିଲା। ସେହି କାରଣରୁ ସେ ଆତ୍ମହତ୍ୟା କରିଥିବା ବଡ଼ବିଲ ଥାନା ପକ୍ଷରୁ କୁହାଯାଇଛି। ଖବରପାଇ ଏସ୍‌ପି ମିତ୍ରଭାନୁ ମହାପାତ୍ର ବଡ଼ବିଲରେ ପହଞ୍ଚି ଘଟଣାର ଖୋଳତାଡ଼ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ନେଇ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସଦର ପିସିଆର୍‌ ସେଲ୍‌ ଡିଏସ୍‌ପି ଜି.ବାର୍ଲାଙ୍କୁ ଏସ୍‌ପି ନିର୍ଦେଶ ଦେଇଛନ୍ତି।

ତେବେ ଥାନା ପରିସରରେ ଜଣେ ହତ୍ୟା ଅଭିଯୁକ୍ତର ସକାଳୁ ସକାଳୁ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଥାନା ଅଧିକାରୀ କହିଛନ୍ତି ଯେ ସୁରେଶକୁ ୧୮ ତାରିଖ ଦିନ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲେ। ପରେ ତା ବିରୋଧରେ ଠୋସ୍‌ ପ୍ରମାଣ ମିଳିବାରୁ ଗତକାଲି ରାତିରେ ଗିରଫ କରିଥିଲେ। ଆଜି ସକାଳୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଯଦି ତାଙ୍କ କଥାକୁ ସତ ବୋଲି ଧରାଯିବ ତାହା ହେଲେ ଜଣେ ହତ୍ୟା ଅଭିଯୁକ୍ତକୁ ହାଜତ ଭିତରେ ନରଖି କାହିଁକି ସାଧାରଣ ମାମଲାର ଅଭିଯୁକ୍ତଙ୍କ ଭଳି ଖୋଲା ଛାଡ଼ି ଦିଆଯାଇଥିଲା? ଥାନା ପରିସରରେ ଏମିତି କ’ଣ ଘଟିଲା ଯେ ଜଣେ ଅଭିଯୁକ୍ତର ଜୀବନ ଗଲା ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର