ନାଗରିକତା (ସଂଶୋଧନ) ଆଇନ ଲାଗୁ କରିବାକୁ ରାଜ୍ୟମାନେ ବାଧ୍ୟ : ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ୨୦୧୯କୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି । ଏହି ଆଇନକୁ ନିଜ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ପ୍ରଥମେ ପଶ୍ଚିମବଙ୍ଗ ଓ ପରେ କେରଳ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ କହିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତାହାର ଜବାବ ଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ଗୃହମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ନାଗରିକତା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ଆସୁଥିବାରୁ ରାଜ୍ୟ ସରକାରମାନେ ଏହି ନୂଆ ଆଇନକୁ ଲାଗୁ କରିବାକୁ ମନା କରିପାରିବେ ନାହିଁ ।
ସେ କହିଛନ୍ତି ଯେ ସମ୍ବିଧାନର ୭ମ ଅଧ୍ୟାୟରେ ୩ଟି ତାଲିକା ରହିଛି । ରାଜ୍ୟ ଓ ମିଳିତ ତାଲିକାରେ ଥିବା ବିଷୟଗୁଡ଼ିକ ଉପରେ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରମାନଙ୍କ ଅଧିକାର ରହିଥିବାବେଳେ, କେନ୍ଦ୍ର ତାଲିକାରେ ଥିବା କୌଣସି ବିଷୟରେ ଯଦି ସଂସଦରେ ଏକ ଆଇନ ଗୃହୀତ ହୋଇଛି ତେବେ ରାଜ୍ୟ ସରକାରମାନେ ତାହାକୁ ଲାଗୁ କରିବାକୁ ବାଧ୍ୟ । କେନ୍ଦ୍ର ତାଲିକାରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ରେଳସେବା,ନାଗରିକତା ଆଦି ମୋଟ ୯୭ଟି ବିଷୟ ରହିଛି ।
ନାଗରିକତା (ସଂଶୋଧନ) ବିଲ୍-୨୦୧୯ ଆଜି ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହୋଇ ୨୦୧୪ ଡିସେମ୍ବର ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ଆଇନ୍ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।