ନିର୍ବିକାର ପ୍ରଶାସନ: ଚାଷୀଙ୍କ କବ୍‌ଜାରେ ରାଜପଥ, ଜଟିଳ ହେଉଛି ଅନ୍‌ଲାଇନ ଟୋକନ ବ୍ୟବସ୍ଥା

ଆଲୋଚନା ପାଇଁ ଅମଙ୍ଗ ଜିଲ୍ଲାପାଳ, ୧୨ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ

ସମ୍ବଲପୁର/ପଡ଼ିଆବାହାଲ: ନିର୍ବିକାର ପ୍ରଶାସନ। ସମ୍ବଲପୁରରେ ଦୂର ହେଉନି ଧାନ ବିକ୍ରି ଅବ୍ୟବସ୍ଥା। ଟୋକନ କଷ୍ଟକୁ କେନ୍ଦ୍ର କରି ସୋମବାର ସମ୍ବଲପୁର ସିଏସ୍‌ଓ କାର୍ଯ୍ୟାଳୟ ଘେରାଉ ପରେ ମଙ୍ଗଳବାର ପୃଥକ ଭାବରେ ବରେଇପାଲି ଛକ ଏବଂ ଜୟନ୍ତପୁରରେ ସ୍ଥିତ ଜାତୀୟ ରାଜପଥକୁ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ଖବର ଲେଖା ପର୍ଯ୍ୟନ୍ତ କବ୍‌ଜା କରିଛନ୍ତି ସମ୍ବଲପୁର ଚାଷୀ। ଏଥିଯୋଗୁଁ ଦୂର-ଦୂରାନ୍ତରୁ ଆସୁଥିବା ଟ୍ରକ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଅନ୍ୟଦିଗରେ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାଇବା ପାଇଁ ସିଏସ୍‌ଓ ଏବଂ ଉପଜିଲ୍ଲାପାଳ ପହଞ୍ଚିଥିଲେ। ୨ ଦିନ ମଧ୍ୟରେ ଟୋକନ ବିଭ୍ରାଟ ଦୂର ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ଚାଷୀଙ୍କ ପାଇଁ ଗ୍ରହଣୀୟ ହୋଇ ନ ଥିଲା। ସିଧାସଳଖ ଜିଲ୍ଲାପାଳ ଆସି ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା ନ କଲେ ରାସ୍ତା ଅବରୋଧ ପ୍ରତ୍ୟାହାର ହେବ ନାହିଁ ଆନ୍ଦୋଳନରତ ଚାଷୀ ଅଡ଼ି ବସିଥିଲେ। ନଭେମ୍ବର ମାସରେ ଠିକ ଏହି ସ୍ଥାନରେ ଆନ୍ଦୋଳନରତ ଚାଷୀଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଧାୟକ ରୋହିତ ପୂଜାରୀ ଜଳସେଚିତ ଅଞ୍ଚଳରେ ଟୋକନ କୋହଳ ହେଲା ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁନର୍ବାର ସେହିଠାରେ ଆନ୍ଦୋଳନ କରି ତୁମ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଆନ୍ଦୋଳନରତ ଚାଷୀ ପ୍ରଶ୍ନ କରିଥିଲେ।

ସ୍ଥାନୀୟ ଚାଷୀଙ୍କ ସୂଚନା ଅନୁସାରେ, ବରେଇପାଲି ମଣ୍ଡିରେ ୧୦୬ ଗାଡ଼ି, କୁକୁଡ଼ାପାଲି ୩୧ ଗାଡ଼ି, ଖଲିଆପାଲି ୩୬ ଗାଡ଼ି, ଠେମରା ୪୦ ଗାଡ଼ି, ଶାସନ ୪୪ ଗାଡ଼ି, ପରମାଣପୁର ୨୧ ଗାଡ଼ି, ମାନେଶ୍ବର ୩୨ ଗାଡ଼ି ସମେତ ବିଭିନ୍ନ ସ୍ଥାନରେ ମଣ୍ଡି ସମ୍ମୁଖରେ ଧାନ ଗାଡ଼ି ଛିଡ଼ା ହୋଇଛି। ଏଥିସହିତ ଧାନ ବିକ୍ରି ବେଳେ କଟନି-ଛଟନି, ବିକ୍ରିର ମାସେରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଅନେକ ଚାଷୀ ପ୍ରାପ୍ୟରୁ ବଞ୍ଚିତ, କୁଚିଣ୍ଡାରେ ଧାନ ବିକ୍ରିର ଅଚଳାବସ୍ଥା, ଏକର ପିଛା ଧାନ ବିକ୍ରି ପରିମାଣ ବୃଦ୍ଧି, ବ୍ୟବସାୟୀଙ୍କୁ ସୁହାଇବା ବ୍ୟବସ୍ଥା ତିଆରି କରୁଥିବା ନେଇ ଚାଷୀ ଅସନ୍ତୋଷ ଚରମ ଥିଲା। ତେଣୁ ପୂର୍ବାହ୍ନ ୧୦ଟାରୁ ଚାଷୀମାନେ ଶହ ଶହ ସଂଖ୍ୟାରେ ଆସି ବରେଇପାଲି ମଣ୍ଡି ସମ୍ମୁଖ ସ୍ଥିତ ଜାତୀୟ ରାଜପଥ ଅବରୋଧ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅବରୋଧ ପ୍ରତ୍ୟାହାର ପାଇଁ ପ୍ରଥମେ ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର ଏିଂ ପରେ ସିଏସ୍‌ଓ ରଂଜନ ସେଠ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପୁନର୍ବାର ରାତି ୮ଟାରେ ଉପଜିଲ୍ଲାପାଳ ଅନିରୁଦ୍ଧ ପଧାନ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ପାଇଁ ସେ ଲିଖିତ ଭାବରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଆନ୍ଦୋଳନରତ କିଛି ଚାଷୀ ଏହାକୁ ଗ୍ରହଣ କରିନଥିଲେ। ସମ୍ବଲପୁର ଜିଲ୍ଲାପାଳ ଆସି ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ଚାଷୀମାନେ ଜିଦ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ପଟରେ ବରଗଡ଼ ଏବଂ ଅନ୍ୟ ପଟରେ ରେଢାଖୋଲ ପର୍ଯ୍ୟନ୍ତ ଗାଡ଼ି ଲମ୍ବିଥିଲା। ଆନ୍ଦୋଳନକୁ ନେଇ ଅତିରିକ୍ତ ଏସପି, ଏସଡିପିଓଙ୍କ ସମେତ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ସମାନ ଦାବି ନେଇ ଜୟନ୍ତପୁର ଛକରେ ଚାଷୀ ଧାନ ବିକ୍ରି ପାଇଁ ଆସିଥିଲେ। ମାତ୍ର ରାତି ପର୍ଯ୍ୟନ୍ତ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା ପାଇଁ କେହି ଆସିନଥିଲେ।

ସମ୍ବନ୍ଧିତ ଖବର