ରାଜନଗର : ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ସ୍ବାମୀ, ସ୍ତ୍ରୀ ଉଭୟଙ୍କୁ ଦୁଇଟି ପରିବାରର ମୁଖ୍ୟ ଭାବେ ଦର୍ଶାଯାଇ କାଳିଆ ସହାୟତା ପ୍ରଦାନ କରାଯାଇଛି। କାଳିଆ ସହାୟତା ହାତେଇବାକୁ ରାଜନଗରରେ ଶହଶହ ସ୍ବାମୀ, ସ୍ତ୍ରୀ ପୃଥକ ହୋଇ ପଡିଛନ୍ତି। ଏପରିକି ଗୋଟିଏ ଗାଁରେ ୨୦ ଯୋଡ଼ା ସ୍ବାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ କାଳିଆ ସହାୟତା ରାଶି ହାତେଇ ନେଇଛନ୍ତି। କେଉଁଠି ସ୍ବାମୀ, ସ୍ତ୍ରୀ ଉଭୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ହାତେଇଥିବା ବେଳେ ଆଉ କେଉଁଠି ସ୍ବାମୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ସ୍ତ୍ରୀ ଭୂମିହୀନ ଚାଷୀ ଭାବେ ସହାୟତା ହାତେଇ ନେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
କାଳିଆ ଯୋଜନା ଗାଇଡ୍ଲାଇନରେ ଗୋଟିଏ କୃଷକ ପରିବାର କହିଲେ ସ୍ବାମୀ ବା ସ୍ତ୍ରୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ବୁଝାଏ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ମାତ୍ର ରାଜନଗରରେ ଶହଶହ ସ୍ବାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ ସହାୟତା ରାଶି ହାତେଇ ନେଇଛନ୍ତି। ଓସ୍ତିଆ ପଂଚାୟତ ଓସ୍ତିଆ ଗାଁର ୨୦ଜଣ ସ୍ବାମୀ ସ୍ତ୍ରୀ କାଳିଆ ସହାୟତା ପାଇଁ ପରସ୍ପରଠାରୁ ଅଲଗା ହୋଇ ପଡିଛନ୍ତି। ପୃଥକ ପରିବାରର ମୁଖ୍ୟ ଭାବେ ସହାୟତା ହାତେଇ ନେଇଛନ୍ତି। ଗୋଟିଏ ଗାଁରେ ୨୦ଜଣ ସ୍ବାମୀ, ସ୍ତ୍ରୀ ପରସ୍ପରଠାରୁ ଅଲଗା ହେବାର ମିଛ ତଥ୍ୟ ଦେଇ କାଳିଆ ସହାୟତା ହାତେଇଛନ୍ତି। ଏଥିରୁ ପୂରା ବ୍ଲକର ୩୧୪ ଗାଁରେ କେତେ ସଂଖ୍ୟାରେ ସ୍ବାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ ସହାୟତା ହାତେଇଥିବେ ତାହା ବୁଝିହେବ। ଓସ୍ତିଆ ପଂଚାୟତ ଓସ୍ତିଆ ଗାଁର ହଳଧର ମଇ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି। ତାଙ୍କର ପତ୍ନୀ ଜ୍ୟୋତ୍ସ୍ନାରାଣୀ ମଇ ପୃଥକ ପରିବାରର ମୁଖ୍ୟ ଭାବେ ଭୂମିହୀନ ଚାଷୀ ଭାବେ ସହାୟତା ହାତେଇଛନ୍ତି। ସେହିପରି ବିଜୟ କୁମାର ନାୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ଓ ତାଙ୍କ ପତ୍ନୀ ପ୍ରେମଲତା ନାୟକ ଭୂମିହୀନ ଚାଷୀ ଭାବେ, ମୂରଲୀ ସେଠୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ଏବଂ ପତ୍ନୀ ଅଳକା ସେଠୀ ଭୂମିହୀନ ଚାଷୀ ଭାବେ ସହାୟତା ହାତେଇଛନ୍ତି। ଲକ୍ଷ୍ମୀଧର ପରିଡା ଓ ତାଙ୍କ ପତ୍ନୀ ବିଜୁଳି ପରିଡା, ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ବବିତା ପାତ୍ର ଉଭୟ ଭୂମିହୀନ ଚାଷୀ ଭାବେ ସହାୟତା ପାଇଛନ୍ତି। ସେହିପରି ଗଣେଶ୍ବର ମଇ ଓ ତାଙ୍କ ପତ୍ନୀ ନିର୍ମଳା ମଇ, ବେଣୁଧର ମଇ ଓ ତାଙ୍କ ପତ୍ନୀ ଶାନ୍ତିଲତା ମଇ, ସୁକାନ୍ତ କୁମାର ମଇ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ମଇ, କୁବେର ମଇ ଓ ତାଙ୍କ ପତ୍ନୀ କବିତା ମଇ, ମୋହନ ଚନ୍ଦ୍ର ବଳ ଓ ତାଙ୍କ ପତ୍ନୀ ଶାନ୍ତି ବଳ, ଜୟଗୋବିନ୍ଦ ସେଠୀ ଓ ତାଙ୍କ ପତ୍ନୀ କାଂଚନ ସେଠୀ ପୃଥକ ପରିବାରର ମୁଖ୍ୟ ଭାବେ କାଳିଆ ସହାୟତା ହାତେଇ ନେଇଛନ୍ତି। ସମସ୍ତେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି।
ସେହିପରି ସେହି ପଂଚାୟତର ବାଲିକଣା ଗାଁର ବଶିଷ୍ଠ ରାଉତ ଓ ତାଙ୍କ ପତ୍ନୀ ବାସନ୍ତୀ ରାଉତ, କଳାକାର ସାମଲ ଓ ତାଙ୍କ ପତ୍ନୀ ବାସନ୍ତୀ ସାମଲ କାଳିଆ ଯୋଜନାରେ ସହାୟତା ପାଇଛନ୍ତି। ବଶିଷ୍ଟ ଓ କଳାକାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଥିବା ବେଳେ ତାଙ୍କ ପତ୍ନୀ ଭୂମିହୀନ ଚାଷୀଭାବେ ସହାୟତା ପାଇଛନ୍ତି। ସେହିପରି ସେହି ଗାଁର ମହେନ୍ଦ୍ର ସାମଲ ଓ ତାଙ୍କ ପତ୍ନୀ ଯମୁନା ସାମଲ, ସହଦେବ ସାମଲ ଓ ତାଙ୍କ ପତ୍ନୀ ସରସ୍ବତୀ ସାମଲ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ହାତେଇଛନ୍ତି। କେବଳ ଓସ୍ତିଆ ପଂଚାୟତରେ ଶତାଧିକ ସ୍ବାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ କାଳିଆ ସହାୟତା ପାଇଛନ୍ତି। ରାଜନଗର ବ୍ଲକରେ କାଳିଆ ଯୋଜନାରେ ଖୋଲାମେଲା ଘୋଟାଲା ହୋଇଛି। ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିବା ଓ ତାଲିକା ପ୍ରସ୍ତୁତ ଦାୟିତ୍ବରେ ଥିବା ଅଧିକାରୀ ଓ ତାଙ୍କ ପରିବାର ସଦସ୍ୟ ଏହି ସହାୟତା ହାତେଇ ନେଇଥିବା ବେଳେ ପୁରା ବ୍ଲକରେ ଯୋଜନା କିପରି ସଠିକ ଲୋକଙ୍କ ପାଖରେ ପହଞ୍ଚିଥିବ ତାହା ଆପେ ବୁଝିହେବ।