ମେ ୧୫ ତାରିଖରୁ ବିହାରରେ ଆରମ୍ଭ ହେବ ‘ଏନ୍ପିଆର୍’ର ପ୍ରଥମ ପର୍ଯ୍ୟାୟ
ପାଟନା: ମେ ୧୫ ତାରିଖରୁ ବିହାରରେ ‘ନ୍ୟାସ୍ନାଲ୍ ପପୁଲେସନ୍ ରେଜିଷ୍ଟର୍’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ମେ ୨୮ ତାରିଖ ଦିନ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର ମୋଦୀ ଶନିବାର ଦିନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାଟନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଶୀଲ ଏ କଥା କହିଛନ୍ତି। ସେ କହିଲେ: ଦେଶରେ ୨୦୨୦ ଏପ୍ରିଲ୍ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ‘ଏନ୍ପିଆର୍’ ପ୍ରକ୍ରିୟା ଚାଲିବ। ବିହାରରେ ଏହା ମେ ୧୫ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ। ଯେଉଁ କର୍ମଚାରୀମାନେ ଏ କାର୍ଯ୍ୟ କରିବାକୁ ମନା କରିବେ ସେମାନଙ୍କ ବିରୋଧରେ ପ୍ରଶାସନିକ ଏବଂ ଦଣ୍ଡବିଧାନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
‘ଏନ୍ସିଆର୍’ ବିଷୟରେ ସୁଶୀଲ ମୋଦୀ କହିଲେ ଯେ କେନ୍ଦ୍ର ସରକାର ‘ଏନ୍ଆର୍ସି’ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କୌଣସି ଆଲୋଚନା କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବେ କହିସାରିଥିବାରୁ ଏ ସଂକ୍ରାନ୍ତରେ ତାଙ୍କ ସହ ଆଲୋଚନା କରିବା ଠିକ୍ ନୁହେଁ।
‘ଏନ୍ପିଆର୍’ ଏବଂ ‘ଏନ୍ଆର୍ସି’ ଦୁଇଟି ଭିନ୍ନ ଜିନିଷ ବୋଲି ସାମ୍ବାଦିକମାନଙ୍କୁ ସେ କହିଛନ୍ତି। ‘ସିଏଏ’ ସଂକ୍ରାନ୍ତରେ କଂଗ୍ରେସ, ଆର୍ଜେଡି ଏବଂ ଅନ୍ୟ ବିରୋଧୀ ଦଳ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଉଛନ୍ତି ବୋଲି ଦୋଷାରୋପ କରି ସେ ସେମାନଙ୍କୁ ସମାଲୋଚନା କରିଛନ୍ତି।
ସେ କହିଲେ ଯେ ନାଗରିକତା ଆଇନ ପ୍ରଣୟନ କରିବାରେ କେନ୍ଦ୍ର ସରକାରଙ୍କ କ୍ଷମତା ଥିବାରୁ ପଶ୍ଚିମବଙ୍ଗ, କେରଳ ଓ ରାଜସ୍ଥାନ ସମେତ କୌଣସି ରାଜ୍ୟ ‘ସିଏଏ’ କିଂବା ‘ଏନ୍ପିଆର୍’ ଲାଗୁ କରାଇବାକୁ ମନା କରି ପାରିବେ ନାହିଁ। ‘ଏନ୍ପିଆର୍’ ପ୍ରସ୍ତୁତି କରିବା ଏକ ବିଧିବଦ୍ଧ ବ୍ୟବସ୍ଥା ହୋଇଥିବାରୁ ଏହାକୁ ପ୍ରଣୟନ କରିବାକୁ କୌଣସି ରାଜ୍ୟ ମନା କରି ପାରିବେ ନାହିଁ।