ମହଙ୍ଗା ପଡ଼ିପାରେ ମହାଥୀରଙ୍କ ଭାରତ ବିରୋଧୀ ମନ୍ତବ୍ୟ : ମାଲେସିଆରୁ ଖାଇବା ତେଲ ଆମଦାନୀ ବନ୍ଦ କରିବ ଭାରତ

ନୂଆଦିଲ୍ଲୀ : ବାରମ୍ବାର ଚେତାବନୀ ସତ୍ତ୍ୱେ ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ଭାରତ ବିରୋଧରେ ବୟାନ ଦେଉଥିବାରୁ ତାହାକୁ ଗୁରୁତ୍ୱର ସହ ନେଇଛି ଭାରତ । ମାଲେସିଆକୁ ପାନେ ଦେବା ପାଇଁ ସେଠାରୁ ଖାଇବା ତେଲ (ପାମୋଲିନ୍) ଆମଦାନୀ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଗତ ସୋମବାରଦିନ ଭାରତ ସରକାର ପାମ୍ ଅଏଲ୍ ଆମଦାନୀ କରୁଥିବା ରିଫାଇନାରୀଗୁଡ଼ିକୁ ଡକାଇ ମାଲେସିଆରୁ ଆମଦାନୀ ବନ୍ଦ କରିବାକୁ ଅଣଔପଚାରିକଭାବେ ନିର୍ଦ୍ଦେଶ ଦେଇଛନ୍ତି। ମାଲେସିଆ ବଦଳରେ ଇଣ୍ଡୋନେସିଆରୁ ତାଳତେଲ କିଣିବାକୁ ରିଫାଇନାରୀମାନଙ୍କୁ ସରକାର କହିଛନ୍ତି ।

ଭାରତ ବର୍ଷକୁ ପ୍ରାୟ ୯ ନିୟୁତ ଟନ ପାମ୍ ଅଏଲ ଆମଦାନୀ କରିଥାଏ । ଏହାର ୭୦ ପ୍ରତିଶତ ଇଣ୍ଡୋନେସିଆରୁ ଓ ୩୦ ପ୍ରତିଶତ ମାଲେସିଆରୁ ଆମଦାନୀ ହୋଇଥାଏ । ଏହା ସତ୍ତ୍ୱେ ଭାରତ ହେଉଛି ମାଲେସିଆ ପାଇଁ ସବୁଠୁ ବଡ଼ ଗ୍ରାହକ । ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିରେ ମାଲେସିଆ ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେବାର ସମ୍ଭାବନା ରହିଛି । ମାଲେସିଆ ବଦଳରେ ଇଣ୍ଡୋନେସିଆ,ଆର୍ଜେଣ୍ଟିନା ଓ ୟୁକ୍ରେନରୁ ଖାଇବା ତେଲ ଆମଦାନୀ କରିବାକୁ ଭାରତ ବିଚାର କରୁଛି ।

ଗତ ବର୍ଷ ମହାଥୀର କଶ୍ମୀର ସଂପର୍କରେ ଓ ନିକଟରେ ନାଗରିକତା ଆଇନ ସଂପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭାରତ ବିରୋଧ କରୁଛି ।

ସମ୍ବନ୍ଧିତ ଖବର