ଫାଶୀ ଦଉଡ଼ିର କାହାଣୀ : ଗଡ଼ସେଙ୍କଠୁ ନେଇ ନିର୍ଭୟା ଦୁଷ୍କର୍ମକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଫାଶୀ ଦଉଡ଼ି ପ୍ରସ୍ତୁତ କରିଛି ବିହାରର ବକ୍ସର ଜେଲ୍

ନୂଆଦିଲ୍ଲୀ: ଅଦାଲତଙ୍କ ପକ୍ଷରୁ ‘ମୃତ୍ୟୁ ପରଓ୍ଵାନା’ ଜାରି ହୋଇଯିବା ପରେ ଏବେ ତିହାର ଜେଲ କର୍ତ୍ତୃପକ୍ଷ ୪ ଜଣ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଜାନୁଆରି ୨୨ ସକାଳ ୭ଟା ସମୟରେ ଏକ ସଙ୍ଗରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିହାରର ବକ୍ସର କେନ୍ଦ୍ରୀୟ ଜେଲରୁ ଫାଶୀ ଦଉଡ଼ି ଆସି ପହଞ୍ଚି ସାରିଥିବା ବେଳେ ଫାଶୀ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାକୁ ମିରଟ ଜେଲରେ ଥିବା ପବନ ଜହ୍ଲାଦ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି।

ତେବେ, ଫାଶୀ ଖୁଣ୍ଟରେ ଝୁଲିଥିବା ନାଥୁରାମ ଗଡ଼ସେଙ୍କ ଠାରୁ ଆରମ୍ଭ କରି ଏବେ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଅପେକ୍ଷାରତ ଥିବା ୪ ନିର୍ଭୟା ଗଣଦୁଷ୍କର୍ମକାରୀ ଯେଉଁ ଫାଶୀ ଦଉଡ଼ି ସାହାଯ୍ୟରେ ଫାଶୀ ଖୁୁଣ୍ଟରେ ଝୁଲିବେ ସେ ଫାଶୀ ଦଉଡ଼ିକୁ ପ୍ରସ୍ତୁତ କରିଥାଏ ବିହାରର ବକ୍ସର କେନ୍ଦ୍ରୀୟ ଜେଲ। ସମଗ୍ର ଦେଶରେ ବିହାରର ବକ୍ସର କେନ୍ଦ୍ରୀୟ ଜେଲ ହିଁ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ କି ଆଜୀବନ କାରାଦଣ୍ଡ ଭୋଗୁଥିବା ଜେଲର ଅନ୍ତେବାସୀମାନଙ୍କ ହାତରେ ପ୍ରସ୍ତୁତ କରା ଯାଇଥାଏ ଏହି ଫାଶୀ ଦଉଡ଼ି। ବ୍ରିଟିଶ ଶାସନ କାଳରୁ ଆରମ୍ଭ ହୋଇଥିବା ଏ ପରମ୍ପରା ଏଯାବତ୍‌ ଗଡ଼ି ଆସିଛି ଏବଂ ଫାଶୀ ଦଉଡ଼ି ପ୍ରସ୍ତୁତ କରିବାର କ୍ଷମତା କେବଳ ମାତ୍ର ବିହାରର ବକ୍ସର କେନ୍ଦ୍ରୀୟ ଜେଲ ବ୍ୟତୀତ ଅନ୍ୟ କାହାରି ନିକଟରେ ନାହିଁ।

News X

ତେବେ, ଫାଶୀ ଦଉଡ଼ିର ପ୍ରସ୍ତୁତି ପାଇଁ ବକ୍ସର କେନ୍ଦ୍ରୀୟ ଜେଲକୁ କେମିତି ମିଳିଲା ଏହି ଏକଚାଟିଆ ଅଧିକାର ତାହାର ମଧ୍ୟ ରହିଛି ଏକ କାହାଣୀ। ବ୍ରିଟିଶ ଶାସନ କାଳରେ ବ୍ରିଟିଶମାନେ ୧୮୮୦ ସାଲରେ ଏହି ବକ୍ସର କେନ୍ଦ୍ରୀୟ ଜେଲ ନିର୍ମାଣ କରିଥିଲେ। ଏହାର ୪ ବର୍ଷ ପରେ ଅର୍ଥାତ୍‌ ୧୯୮୪ରେ ବ୍ରିଟିଶମାନେ ଫାଶୀ ଦଉଡ଼ି ପ୍ରସ୍ତୁତି ନମନ୍ତେ ଏଠାରେ ଆଣି ବସାଇଥିଲେ ଯନ୍ତ୍ର ବା ମେସିନ୍‌। ଏହା ପୂର୍ବରୁ ଫାଶୀ ଦଉଡ଼ିକୁ ଫିଲିପିନ୍ସର ରାଜଧାନୀ ମାନିଲାରୁ ଆମଦାନି କରା ଯାଉଥିଲା ଓ ଫାଶୀ ଦଉଡ଼ି ପରିବର୍ତ୍ତେ ଏହା ‘ମାନିଲା ରୋପ୍‌’ ନାମରେ ଖ୍ୟାତ ଥିଲା। ତେବେ, ବ୍ରିଟିଶମାନେ ବକ୍ସର କେନ୍ଦ୍ରୀୟ ଜେଲରେ ଫାଶୀ ଦଉଡ଼ି ପ୍ରସ୍ତୁତ ପାଇଁ ମେସିନ୍‌ ଆଣି ବସାଇବା ପରେ ‘ମାନିଲା ରୋପ୍‌’ ଆମଦାନିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେବା ସହ ଭାରତୀୟ ଶିଳ୍ପ ଆଇନ ଅଧୀନରେ ଫାଶୀ ଦଉଡ଼ି ପ୍ରସ୍ତୁତି ପାଇଁ ବକ୍ସର କେନ୍ଦ୍ରୀୟ ଜେଲକୁ ପ୍ରଦାନ କରିଥିଲେ ଏକଚାଟିଆ ଅଧିକାର। ବକ୍ସର ଜେଲରେ ଆଜୀବନ କାରାଦଣ୍ଡରେ ବନ୍ଦୀ ଥିବା ଅନ୍ତେବାସୀଙ୍କ ହାତରେ ଏହି ମେସିନ୍‌କୁ ଚଳାଯାଇ ପ୍ରସ୍ତୁତ କରା ଯାଉଥିଲା ଫାଶୀ ଦଉଡ଼ି।

News Nation

ଫାଶୀ ଦଉଡ଼ି ହାତକୁ ଯେତିକି ନରମ, ବେକକୁ ତା’ ଠାରୁ ଶତଗୁଣରେ କଠିନ। ଗଙ୍ଗା ନଦୀ କୂଳରେ ଅବସ୍ଥିତ ଥିବା ବକ୍ସର ଜେଲର ପରିବେଶ, ସେଠାକାର ଜଳବାୟୁ ଓ ପାଣି ଫାଶୀ ଦଉଡ଼ି ପ୍ରସ୍ତୁତି ପାଇଁ ସଂପୂର୍ଣ୍ଣ ଅନୁକୂଳ ଥିବାରୁ ବ୍ରିଟିଶମାନେ ସେ ସମୟରେ ଏପରି ନିଷ୍ପତ୍ତି ନେଇଥିଲେ। ଫାଶୀ ଦଉଡ଼ି ପ୍ରସ୍ତୁତି ପାଇଁ ଜେ-୩୪ ନାମକ ଏକ ସୂତା ବ୍ୟବହାର କରା ଯାଇଥାଏ। ପଞ୍ଜାବରେ ଚାଷ ହେଉଥିବା ଏକ କପାରୁ ଏହି ସୂତାକୁ ପ୍ରସ୍ତୁତ କରା ଯାଇଥାଏ। ଫାଶୀ ଦଉଡ଼ିର ପ୍ରସ୍ତୁତି ନିମନ୍ତେ କଞ୍ଚାମାଲ ରୂପେ ଏହି ସୂତାକୁ ପଞ୍ଜାବ ବକ୍ସର ଜେଲକୁ ଯୋଗାଇ ଦେଇଥାଏ। ଫାଶୀ ଦଉଡ଼ିର ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ଶୈଳୀ ମଧ୍ୟ ରହିଛି। ଫାଶୀ ଦଉଡ଼ି ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ୪ ଜଣ ବ୍ୟକ୍ତିଙ୍କୁ ବକ୍ସର ଜେଲରେ ନିଯୁକ୍ତି ମିଳିଥାଏ। ଯେଉଁମାନେ କି ଆଜୀବନ ଦଣ୍ଡାଦେଶରେ ଦଣ୍ଡିତ ହୋଇ ଜେଲର ଅନ୍ତେବାସୀ ଥିବା ଅପରାଧୀମାନଙ୍କୁ ଏହି ଫାଶୀ ଦଉଡ଼ି ପ୍ରସ୍ତୁତି ପାଇଁ ତାଲିମ ପ୍ରଦାନ କରିଥା’ନ୍ତି।

ଏହାକୁ ନରମ କରିବା ପାଇଁ ଫାଶୀ ଦଉଡ଼ିର ପ୍ରସ୍ତୁତିରେ ପ୍ରଚୁର ମାତ୍ରାରେ ପାଣିର ଆବଶ୍ୟକତା ପଡ଼ିଥାଏ । ଫାଶୀ ଦଉଡ଼ିକୁ ଖାସ୍‌ ଏହି କାରଣ ପାଇଁ ନରମ କରାଯାଇଥାଏ- କାରଣ, ଆଇନ୍‌ କହୁଛି ଫାଶୀ ଦଣ୍ଡାଦେଶ ପାଇଥିବା ଅପରାଧୀ  ତା’ର ମୃତ୍ୟୁ ପର୍ଯ୍ୟନ୍ତ ଫାଶୀ ଦଉଡ଼ିରେ ଝୁଲି ରହିବ; କିନ୍ତୁ, ତା’ର ବେକରେ ସାମାନ୍ୟ ବି କ୍ଷତ ହେବ ନାହିଁ।

ସମ୍ବନ୍ଧିତ ଖବର