ଭୁବନେଶ୍ବର : ‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୦ର ପୁରସ୍କାର ବିତରଣ ସମାରୋହ ଆସନ୍ତାକାଲି ହୋଟେଲ୍ ମେ’ ଫେୟାର କନ୍ଭେନ୍ସନ୍ରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ। ଓଡ଼ିଶାରୁ ସୃଷ୍ଟି ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ଶ୍ରେଷ୍ଠ୍ ବ୍ରାଣ୍ଡ୍ଗୁଡ଼ିକୁ ଏହି ଅବସରରେ ପୁରସ୍କୃତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ର ତୃତୀୟ ସଂସ୍କରଣ ଆୟୋଜନ କରାଯାଉଛି। ଏଥର ସିଏସ୍ଆର୍, ଲାର୍ଜ (ବୃହତ), ମିଡିଅମ୍ (ମଧ୍ୟମ), ସ୍ମଲ୍ (କ୍ଷୁଦ୍ର) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ମୋଟ୍ ୧୫ଟି ପୁରସ୍କାର ପ୍ରଦାନ କରାଯିବ। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍ ଭଳି ତିନିଟି ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପୁରସ୍କାର ଲାଗି ଆସିଥିବା ସମସ୍ତ ଆବେଦନକୁ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିବା ପରେ ବିଜେତା ଚୟନ କରିଛନ୍ତି। ବିଚାରକ ଭାବେ ଜିଏଫ୍ଏଚ୍ ଫାଇନାନ୍ସିଆଲ ଗ୍ରୁପ୍ର ଇଡି ରାକେଶ ପଟ୍ଟନାୟକ, ଇଣ୍ଡିଆ ମଡ୍ଗେଜ୍ ଗ୍ୟାରେଣ୍ଟି କର୍ପୋରେସନ୍ର ସିଇଓ ମହେଶ ମିଶ୍ର ଓ ଫିକିର ଆସିଷ୍ଟାଣ୍ଟ୍ ଜେନେରାଲ୍ ସେକ୍ରେଟାରି ଲୀନା ଜଇସାନି ଯୋଗ ଦେଇଥିଲେ।
ଏହି ଉତ୍ସବକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। ଏହା ପରେ ରାଜ୍ୟ ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ମନ୍ତ୍ରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏକ ସ୍ବତନ୍ତ୍ର ଆଲୋଚନାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗରେ ବିଜୟୀ ହୋଇଥିବା ବ୍ରାଣ୍ଡ୍ଗୁଡ଼ିକୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ କଂପାନିର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ।