ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳର ଗରିବଙ୍କୁ ଦୁଇଓଳି ରନ୍ଧା ଖାଦ୍ୟ ଦେବେ ସରକାର, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରିଲିଫ୍ କମିସନର
ଭୁବନେଶ୍ୱର : ଲକଡାଉନ୍ ସମୟରେ ରାଜ୍ୟବହାରୁ ଆସିଥିବା ଶ୍ରମିକ ଓ ଗରିବ ଏବଂ ଅସହାୟଙ୍କୁ ଦିନକୁ ଦୁଇ ଓଳି ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି କରିଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାରା ଦେଶ ଏବେ କରୋନାଭାଇରସ ଭଳି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଏବେ ଲକଡ଼ାଉନ୍ ଘୋଷଣା କରିଥିବା ବେଳେ ଏ ନେଇ ଗରିବ ଦିନମଜୁରିଆଙ୍କ ଦୈନଦିନ ଜୀବନ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଗରିବ ଏବଂ ଦିନ ମଜୁରିଆମାନେ ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି କରିଛନ୍ତି।
ଲକଡ଼ାଉନ ପାଇଁ ଖାଇବାରେ ସମସ୍ୟା ଦେଖାଯାଉଥିବା ଦେଖି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାରେ ଦରିଦ୍ର ଓ ଖାଇବାକୁ ପାଉ ନଥିବା ଲୋକଙ୍କୁ ଏବଂ ବାହାରୁ ଅଆସିଥିବା ଶ୍ରମଜୀବୀଙ୍କୁ ଦୁଇଥର ରନ୍ଧା ଖାଦ୍ୟ ଦେବା ପାଇଁ କହିଛନ୍ତି । ଏ ବାବଦକୁ ଖର୍ଚ୍ଚ ୧୨ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଦିନ ପିଛା ୪୫ ଟଙ୍କା ରଖାଯାଇଥିବା ବେଳେ ୧୨ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଦିନ ପିଛା ଖର୍ଚ୍ଚ ୬୦ଟଙ୍କାର ରଖାଯାଇଛି । ଲକଡ଼ାଉନ ହଟିବା ପର୍ଯ୍ୟନ୍ତ ଏହି ସୁବିଧା ଗରିବମାନଙ୍କୁ ଦିଆଯିବ ବୋଲି ପତ୍ରରେ ଲେଖାଯାଇଛି । ଏ ନେଇ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ରାଜ୍ୟ ବିପର୍ଯୟ ମୁକାବିଲା ପାଣ୍ଠି ବହନ କରିବ ବୋଲି ଉଲ୍ଲେଖ କରାଯାଇଛି ।
ସେହିଭଳି ଭାବରେ ରାଜ୍ୟ ସୀମାନ୍ତରେ ଅଟକି ରହିଥିବା ସମସ୍ତ ପ୍ରବାସୀ ଶ୍ରମିକମାନଙ୍କ ଦାୟିତ୍ୱ ସୀମାନ୍ତ ଜିଲ୍ଲାପାଳ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଦିଆଯାଇଛି । ସେମାନଙ୍କୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର ନିଦେ୍ର୍ଦଶ ଦେଇଛନ୍ତି । ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଦିନକୁ ଦୁଇ ଥର ୬୦ଟଙ୍କାରେ ରନ୍ଧା ଖାଦ୍ୟ ଦେବା ପାଇଁ କୁହାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୨ବର୍ଷରୁ କମ ପିଲା ଥିଲେ ସେମାନଙ୍କୁ ୪୫ଟଙ୍କାରେ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ କୁହାଯାଇଛି । ଲକଡ଼ାଉନ ଉଠିବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ଦିଆଯିବା ସହ ସମସ୍ତ ଖର୍ଚ୍ଚ ରାଜ୍ୟ ବିପର୍ଯୟ ମୁକାବିଲା ପାଣ୍ଠି ବହନ କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ସୂଚନା ମୁତାବକ, ଗତକାଲି କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ ଓ ଏହା ଗୁରୁତର ସଂକଟ ସୃଷ୍ଟି କରିବ ବୋଲି ରବିବାର ଦିନ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତର୍କ କରିଥିଲେ । ଏଥିସହ ରାଜ୍ୟର ସୀମାନ୍ତରେ ସେମାନଙ୍କୁ ଅଟକାଇ ସେହିଠାରେ ହିଁ ରହିବା-ଖାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶ୍ରମଜୀବୀଙ୍କର ଅସ୍ଥାୟୀ ରହଣିସ୍ଥଳରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ଆଦେଶ ଦେଇଥିଲେ ହାଇକୋର୍ଟ। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଓ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ ରବିବାର ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି କରିଥିଲେ।