ବିଏସ୍ଏନ୍ଏଲ୍ ପରେ ଗ୍ରାହକଙ୍କ ପାଇଁ ସେବା ଅବଧି ବଢ଼ାଇଲା ଏୟାର୍ଟେଲ୍
ମୁମ୍ବାଇ: ଗତକାଲି ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍) ତା’ର ଗ୍ରାହକମାନଙ୍କ ପାଇଁ ସେବା ଅବଧି ବୃଦ୍ଧି କରାଇବା ପରେ ଏୟାର୍ଟେଲ୍ ମଧ୍ୟ ସମାନ ନିଷ୍ପତ୍ତି ନେଇଛି। ଏୟାର୍ଟେଲ୍ ତା’ର ୮୦ ମିଲିୟନ୍ ଗ୍ରାହକମାନଙ୍କ ସେବାର ଅବଧି ବୃଦ୍ଧି କରାଇବା ସହ ବ୍ୟବହାରକାରୀଙ୍କ ନମ୍ବରରେ ୧୦ ଟଙ୍କା ଲେଖାଏଁ ମାଗଣା ରିଚାର୍ଜ କରିବାର ନିଷ୍ପତ୍ତି ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସୁବିଧା ବିଶେଷ କରି ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ବିଶେଷ ଲାଭପ୍ରଦ ହେବ। ବିଏସ୍ଏନ୍ଏଲ୍ ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ତା’ର ସେବା ଅବଧି ବୃଦ୍ଧି କରାଇଥିବା ବେଳେ ଏୟାର୍ଟେଲ୍ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଥିବା ଜାଣିବାକୁ ମିଳିଛି।
ଯଦି ଆପଣ ଏୟାର୍ଟେଲ୍ ଗ୍ରାହକ ଓ ଆପଣଙ୍କ ରିଚାର୍ଜ ତାରିଖ ହୋଇ ଯାଇଛି ତେବେ ଲକ୍ଡାଉନ୍ ଭିତରେ ଆପଣଙ୍କୁ ରିଚାର୍ଜ କରିବାକୁ ଆବଶ୍ୟକ ପଡ଼ିବ ନାହିଁ। କାରଣ ଏୟାର୍ଟେଲ୍ ତା’ର ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେବା ଅବଧି ବୃଦ୍ଧି କରାଇଛି।
ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ପାଇଁ ସାରା ଦେଶରେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ଲୋକମାନେ ଯୋଗାଯୋଗରୁ ବଞ୍ଚିତ ହୁଅନ୍ତୁ ନାହିଁ ବୋଲି କହି ଏକ ନିର୍ଦ୍ଦେଶ ଜାରି କରିଥିବା ଟେଲିକମ୍ ରେଗୁଲେଟାରି ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ)। ଟେଲିକମ୍ କମ୍ପାନିମାନେ ସେମାନଙ୍କ ସେବା ଅବଧି ବୃଦ୍ଧି କରନ୍ତୁ ବୋଲି ଟ୍ରାଇ କହିବା ପରେ ଗତକାଲି ବିଏସ୍ଏନ୍ଏଲ୍ ତା’ର ଅବଧି ବୃଦ୍ଧି କରାଇଥିଲା।