ରାଉରକେଲା଼ : ଲକ୍ଡାଉନ୍ ପାଇଁ ବହୁ କଳକାରଖାନା, ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିବା ବେଳେ କିଛି ବେଆଇନ କାର୍ଯ୍ୟ କିନ୍ତୁ ଚାଲୁ ରହିଛି। ଏହାର ପ୍ରମୁଖ ଉଦାହରଣ ହେଲା ମାଟି ଇଟାଭାଟି। ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ତା ବ୍ଲକ୍ ଅନ୍ତର୍ଗତ ରାଏବଗା ଅଞ୍ଚଳରେ ବେଆଇନ ମାଟି ଇଟା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କେବଳ ସେତିକି ନୁହେଁ, ଲକ୍ଡାଉନ୍ ପରେ ମଧ୍ୟ ସେଠାରେ ବାହାର ରାଜ୍ୟର ଶ୍ରମିକମାନେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଏବଗା ଅଞ୍ଚଳରେ ଏବେ ୮ଟି ବେଆଇନ ମାଟି ଇଟାଭାଟି ଚାଲୁଛି। ଝୁନମୁର ରୋଡ ଲୁଡୁକି ନଦୀ କୂଳରେ, ପୋଗ୍ରାପୋଷ, ଇନ୍ଦ୍ରପୁର, ବାଙ୍କି ଏବ˚ ଶଙ୍ଖ ନଦୀ କୂଳରେ ଏହି ମାଟି ଇଟା ଭାଟିଗୁଡ଼ିକ ଗଢ଼ି ଉଠିଛି। ଏଥିରେ ଛତିଶଗଡ଼ ରାଜ୍ୟର ଶ୍ରମିକମାନେ କାମ କରୁଛନ୍ତି। ଲକ୍ଡାଉନ୍ ସତ୍ତ୍ବେ ଏହି ଶ୍ରମିକମାନେ ଘରକୁ ନ ଯାଇ ଇଟାଭାଟି କ୍ୟାମ୍ପରେ ରହୁଛନ୍ତି। ଏହିସବୁ ଭାଟିରେ ନିୟମିତ କାମ ଚାଲିଛି। ଫଳରେ ଭାଟି କ୍ୟାମ୍ପରେ କରୋନା ବ୍ୟାପିବା ଆଶଙ୍କା ସୃଷ୍ଟି କରିଛି। ସରକାର ମାଟି ଇଟାଭାଟିକୁ ଆଉ ଅନୁମତି ଦେଉନାହାନ୍ତି। କିନ୍ତୁ ରାଏବଗା ଅଞ୍ଚଳରେ ଏହା ଖୋଲାଖୋଲି ଚାଲିଛି। ପୁଲିସ ଓ ପ୍ରଶାସନ ସବୁଜାଣି ଚୁପ୍ ରହୁଛନ୍ତି। ପୁଣି ଲକ୍ଡାଉନ୍ ସମୟରେ କାମ ଚାଲୁ ରଖି ଭାଟି ମାଲିକମାନେ ସରକାରୀ ନିୟମକୁ ଆଦୌ ଭ୍ରୂକ୍ଷେପ କରୁ ନଥିବା ପ୍ରମାଣ କରୁଛନ୍ତି। ଇଟାଭାଟି ମାଲିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।