ହାଇକୋର୍ଟରେ ରୁଜୁ ହୋଇପାରିବ ଜରୁରୀ ମାମଲା : ଫାଇଲିଂ କାଉଣ୍ଟର ଖୋଲାରହିବ, ପାଳନ ହେବ ସାମାଜିକ ଦୂରତ୍ବ ନିୟମ

କଟକ : ‘କରୋନା’କୁ ନେଇ ଦେଖାଦେଇଥିବା ପରିସ୍ଥିତିରେ ହାଇକୋର୍ଟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ କେତେକ କଟକଣା ଜାରି କରି ମାର୍ଚ୍ଚ ୨୫ରେ ପ୍ରକାଶ କରିଥିବା ବିଜ୍ଞପ୍ତିରେ ଆଂଶିକ ସଂଶୋଧନ କରାଯାଇଛି। ପୂର୍ବରୁ ମାର୍ଚ୍ଚ ୨୫ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ହାଇକୋର୍ଟଙ୍କ ସ୍ବାଭାବିକ କାର୍ଯ୍ୟ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ (ସସ୍‌ପେଣ୍ଡ) ରହିବ ବୋଲି ଉଲ୍ଲେଖ କରାଯାଇଥିଲା। ସେହିଭଳି ଭାବେ ହାଇକୋର୍ଟ କାର୍ଯ୍ୟାଳୟର ସ୍ବାଭାବିକ କାର୍ଯ୍ୟ ମଧ୍ୟ ଏହି ଅବଧି ମଧ୍ୟରେ ସ୍ଥଗିତ (ସସ୍‌ପେଣ୍ଡ) ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ସଂଶୋଧନ କରି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସାନି ବିଜ୍ଞପ୍ତି କରାଯାଇଛି।

ଲକ୍‌ଡାଉନ ସମୟରେ ହାଇକୋର୍ଟର ଫାଇଲିଂ କାଉଣ୍ଟର ସବୁ କାର୍ଯ୍ୟ ଦିବସରେ ଦିନ ୧୦ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସାନି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏପ୍ରିଲ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ଦିନକୁ ଛାଡି ଅନ୍ୟ ସମସ୍ତ ଦିବସରେ ଏପରି ବ୍ୟବସ୍ଥା ଜାରି ରହିବ। ଫାଇଲିଂ କାଉଣ୍ଟରକୁ ଆସୁଥିବା ଆଇନଜୀବୀ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା କର୍ମୀ ପଦକ୍ଷେପ ଗ୍ରହଣ କରିବେ। ଏଥିପାଇଁ ଫାଇଲିଂ କାଉଣ୍ଟର ନିକଟରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ କୁହାଯାଇଛି। ଏପରି ସାନି ବିଜ୍ଞପ୍ତି ପରେ ଏବେ ହାଇକୋର୍ଟରେ ଜରୁରୀ ମାମଲା ଦାୟର କରାଯାଇପାରିବ।

ସମ୍ବନ୍ଧିତ ଖବର