କ୍ଷତି ଭରଣା
ଭାରତରେ ଯେତେବେଳେ ବର୍ତ୍ତମାନ ବଳବତ୍ତର ଥିବା ୨୧ ଦିନିଆ (ତିନି ସପ୍ତାହ) ‘ଲକ୍-ଡାଉନ୍’ର ଅବଧି ଆଉ ବୃଦ୍ଧି କରାଯିବାର ସମ୍ଭାବନା ନେଇ ସାରା ଦେଶରେ ଏକ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି, ଠିକ୍ ସେତିକି ବେଳେ କରୋନାର ଆଦିଭୂମି ଚୀନ୍ରେ ଘଟିଥିବା ଏକ ଘଟଣା ଉପରେ ଆମେ ନଜର ପକାଇଲେ, ତାହା ଏ ସନ୍ଦେହ ମୋଚନରେ ସହାୟକ ହୋଇପାରେ। ଗତ ଜାନୁଆରି ୨୩ ରାତିରେ ଯେତେବେଳେ ଚୀନ୍ବାସୀମାନେ ନିଦ ମାଉସୀ କୋଳରେ ଶୋଇ ପଡ଼ିଥିଲେ, ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେବା ଭଳି ଏକ ଅଭୂତପୂର୍ବ ନିଷ୍ପତ୍ତି ଘୋଷଣା କରିଥିଲେ। ନିଷ୍ପତ୍ତି ଅନୁସାରେ ଏକ ରହସ୍ୟମୟ ଭୂତାଣୁ ଆବିର୍ଭାବଜନିତ ସ˚କ୍ରମଣର କେନ୍ଦ୍ରସ୍ଥଳୀ ପାଲଟିଥିବା ‘ଉହାନ୍’ ନଗରୀକୁ ସମ୍ପୂର୍ଣ୍ଣ ରୂପେ ‘କ୍ବାରେଣ୍ଟିନ୍’ କରିଦିଆଯାଇ ‘ଲକ୍-ଡାଉନ୍’ରେ ରଖିଦିଆଯାଇଛି ବୋଲି ଘୋଷଣା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଯାଇ ୭୬ ଦିନ ପରେ ମଙ୍ଗଳବାର ମଧୢରାତ୍ରିରେ ‘ଉହାନ୍’କୁ କ୍ବାରେଣ୍ଟିନ୍ମୁକ୍ତ କରାଗଲା ଏବ˚ ‘ଲକ୍-ଡାଉନ୍’ ଉଠାଇ ଦିଆଗଲା ବୋଲି ଘୋଷଣା କରାଯାଇଛି। ପ୍ରାୟ ଅଢ଼େଇ ମାସ ତଳେ ବାକି ଦୁନିଆରେ ଥିବା ଲୋକମାନେ ୧୧ ନିୟୁତ ଲୋକସ˚ଖ୍ୟାବିଶିଷ୍ଟ ଏକ ବିଶାଳ ସହରକୁ କିପରି ସମୂର୍ଣ୍ଣ ଲକ୍-ଡାଉନ୍ରେ ରଖାଯାଇପାରେ, ତା’ର କୂଳ କିନାରା ପାଉ ନଥିଲେ। କେବଳ ଚୀନ୍ ଭଳି କୌଣସି ଏକଛତ୍ର ଶାସନ ବ୍ୟବସ୍ଥା ଥିବା ଦେଶରେ ଏହା ସମ୍ଭବ ବୋଲି ସେତେବେଳେ ବିଶ୍ବାସ କରାଯାଉଥିଲା। କିନ୍ତୁ ଏକ କ୍ରୂର ବିଡ଼ମ୍ବନା ଭଳି, ଯେଉଁ ସମୟରେ କରୋନା ଭୂତାଣୁର ଜନ୍ମପୀଠ ‘ଲକ୍-ଡାଉନ୍’ରୁ ମୁକ୍ତି ଲାଭ କରିଛି, ଠିକ୍ ସେଇ ସମୟରେ ସେଇ କରୋନା ରାକ୍ଷସ ଭୟରେ ପୃଥିବୀ ସାରା ପ୍ରାୟ ୪୦୦ କୋଟି ଲୋକ (ପ୍ରାୟ ପୃଥିବୀ ଲୋକସ˚ଖ୍ୟାର ଅଧା) ତାଟିକବାଟ ପକାଇ ଲକ୍-ଡାଉନ୍ରେ ରହିଛନ୍ତି। ଜୀବନ ପ୍ରତି ବିପଦ ଏକଛତ୍ରବାଦ ଓ ଗଣତନ୍ତ୍ର ମଧୢରେ ଥିବା ପ୍ରଭେଦକୁ ପୋଛି ନିଶ୍ଚିହ୍ନ କରି ଦେଇଥାଏ।
ଗତ ସପ୍ତାହରେ ‘ଉହାନ୍’ରେ ମାତ୍ର ଦୁଇଟି ନୂଆ କରୋନା ସ˚କ୍ରମଣ ଦୃଷ୍ଟିଗୋଚର ହେବା ପରେ ଚୀନ୍ ସରକାର ଏହାକୁ ଏକ ନିରାପଦ ଅବସ୍ଥାର ସ˚କେତ ରୂପେ ବିଚାର କରି ‘ଉହାନ୍’ର ‘ଲକ୍-ଡାଉନ୍’ ଅପସାରିତ କରିବା ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଏଥିରେୁ କେହି ବୁଝିବା ଉଚିତ ହେବ ନାହିଁ ଯେ, ଚୀନ୍ରେ ସାଧାରଣ ଅବସ୍ଥା ଫେରି ଆସିଛି। ଚୀନ୍ର ସମସ୍ତ ପ୍ରବେଶ-ପ୍ରସ୍ଥାନ ଦ୍ବାର ଏବେ ବି ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି। ବିଦେଶରୁ କେହି ନୂତନ ସ˚କ୍ରମଣର ସମ୍ଭାବନା ଧରି ଦେଶ ଭିତରେ ପ୍ରବେଶ କରିବାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ସୀମା-ନିବୁଜ ନୀତି ସେଠାରେ ବର୍ତ୍ତମାନ ମଧୢ ବଳବତ୍ତର ରଖାଯାଇଛି। ଦେଶସାରା ବିଭିନ୍ନ ସ୍ଥାନରେ ଲୋକଙ୍କ ଶରୀର-ଉତ୍ତାପ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ହାତରେ ମାପ-ଯନ୍ତ୍ର ଧରି ଲକ୍ଷ ଲକ୍ଷ ସ˚ଖ୍ୟକ ନିରୀକ୍ଷକମାନେ ଖେଳାଇ ହୋଇ ରହିଛନ୍ତି।
ଚୀନ୍ର ଏହି ଅନୁଭୂତି ଭାରତରେ ଲାଗୁ କରାଯାଇଥିବା ଦେଶବ୍ୟାପୀ ‘ଲକ୍-ଡାଉନ୍’ ଅପସାରଣ କରିବାର ଏହା ଉପଯୁକ୍ତ ସମୟ କି ନୁହେଁ, ସେ ସମ୍ପର୍କରେ ନିଷ୍ପତ୍ତି ନେବାରେ ସହାୟକ ହୋଇପାରେ। ଇତି ମଧୢରେ ସଦ୍ୟ ସଦ୍ୟ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’) କୌଣସି ଦେଶ ତରବରିଆ ଭାବରେ କରୋନା ସମ୍ବନ୍ଧିତ କଟକଣା ଅପସାରଣ ନ କରିବାକୁ ସତର୍କବାଣୀ ଶୁଣାଇଛି। ଏଥି ସମ୍ପର୍କରେ ‘ହୁ’ କୌଣସି ଆଦର୍ଶ ମାର୍ଗ ନିର୍ଦ୍ଦେଶ କରି ନଥିଲେ ହେଁ, ଏହା ସ୍ପଷ୍ଟ କରି ଦେଇଛି ଯେ ତରବରିଆ ଭାବରେ କଟକଣା ହଟାଇଲେ, ତା’ର ପରିଣାମ ସ୍ବରୂପ କଟକଣା ସବୁର ପୁନରାବୃତ୍ତି କରିବା ଆବଶ୍ୟକ ହୋଇପାରେ। ଚୀନ୍ର ଅନୁଭୂତି ଓ ‘ହୁ’ର ଉପଦେଶକୁ ମିଶାଇ ଦେଖିଲେ ମନେହୁଏ ଭାରତରେ ‘ଲକ୍-ଡାଉନ୍’ର ତିନି ସପ୍ତାହ ପୂରିଯିବା ମାତ୍ରେ ଦେଶରୁ ‘ଲକ୍-ଡାଉନ୍’ ହଟାଇ ଦେବା ଆମ ପାଇଁ ଏକ ନିରାପଦ ପଦକ୍ଷେପ ନ ହୋଇପାରେ।
‘ଲକ୍-ଡାଉନ୍’କୁ କୌଣସି ଆଣ୍ଟିବାୟୋଟିକ୍ କୋର୍ସ ସେବନ ସହିତ ତୁଳନା କରାଯାଇପାରେ। ସମସ୍ତଙ୍କୁ ଜଣା, କୋର୍ସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ରୋଗୀ ଔଷଧ ସେବନ ସାମୟିକ ବନ୍ଦ କରିଦିଏ, ତେବେ ତାହା ଆଉ ଫଳପ୍ରଦ ହୁଏ ନାହିଁ। ଭାରତ ସରକାର ଲାଗୁ କରିଥିବା ୨୧ ଦିନିଆ ‘ଲକ୍-ଡାଉନ୍’ କୋର୍ସ ପଛରେ ଏକ ବଳିଷ୍ଠ ଯୁକ୍ତି ନିହିତ ଥିଲା। କୌଣସି ବ୍ୟକ୍ତି କରୋନା ଭୂତାଣୁର ସ˚ସ୍ପର୍ଶରେ ଆସିବାର ୨ ରୁ ୧୪ ଦିନ ମଧୢରେ ତା’ଠାରେ ରୋଗର ଲକ୍ଷଣ ଆବିର୍ଭୂତ ହୋଇଥାଏ। ଏହି ସମୟ ମଧୢରେ ସମସ୍ତ ଦେଶବାସୀ ଯଦି ନିଜ ନିଜ ଘର ଭିତରେ ବନ୍ଦ ହୋଇ ରହନ୍ତି, ତେବେ ସ˚କ୍ରମିତ ବ୍ୟକ୍ତି ଅଧିକ ସୁସ୍ଥ ଲୋକଙ୍କୁ ସ˚କ୍ରମିତ କରିବା ପୂର୍ବରୁ ତାକୁ ଠାବ କରାଯାଇ ପୃଥକ୍ କରିଦିଆଯାଇ ପାରିବ, ଯାହା ଫଳରେ ଗୋଷ୍ଠୀ ସ˚କ୍ରମଣ ସମ୍ଭାବନାକୁ ପ୍ରତିହତ କରାଯାଇ ପାରିବ। ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ନିରାପଦ କରିବା ପାଇଁ ଦୁଇ ସପ୍ତାହରେ ଆଉ ଗୋଟିଏ ସପ୍ତାହ ମିଶାଇ ‘ଲକ୍-ଡାଉନ୍’ ଅବଧିକୁ ତିନି ସପ୍ତାହ କରି ଦେଇଥିଲେ।
ମନେ ରଖିବାକୁ ହେବ ‘ଉହାନ୍’ ହେଉଛି ଗୋଟିଏ ମାତ୍ର ସହର ଏବ˚ କରୋନା ଭୂତାଣୁର ସେଠାରେ ଆବିର୍ଭାବ ଘଟିବା ପରେ ପରେ ସେ ସହରକୁ ଏପରି ଲମ୍ବା ସମୟ ପାଇଁ ‘ଲକ୍-ଡାଉନ୍’ କରିଦିଆଯାଇଥିଲା। ଭାରତ ଭଳି ଏକ ବିଶାଳ ଦେଶକୁ କିନ୍ତୁ ଏତେ ଦୀର୍ଘ ସମୟ ଧରି ‘ଲକ୍-ଡାଉନ୍’ରେ ରଖିବା ଆଦୌ ସମ୍ଭବ ନୁହେଁ। ହୁଏତ ୨୧ ଦିନର ‘ଲକ୍-ଡାଉନ୍’ ଏଠାରେ ବେଶ୍ ଫଳପ୍ରଦ ହୋଇଥାନ୍ତା। କିନ୍ତୁ ଏହି ‘ଲକ୍-ଡାଉନ୍’ ଲାଗୁ କରିବା ବେଳେ ସରକାର ଯେଉଁ ଏକ ନିର୍ଦ୍ଦିଷ୍ଟ ଭଣ୍ତୁରକାରୀ ଉପାଦାନକୁ ବିଚାରକୁ ନେଇ ପାରିନଥିଲେ, ତାହା ହେଲା ‘ତବ୍ଲିଘି ଜମାତ୍’। ଜମାତ୍ର ସଦସ୍ୟମାନେ ଦେଶସାରା ଖେଳାଇ ହୋଇ ଯାଇ ଜମିରେ ବିହନ ବୁଣିବା ଭଳି କରୋନା ଭୂତାଣୁ ବୁଣିଥିବା ଜଣା ପଡ଼ି ସାରିବା ପରେ, ‘ଲକ୍-ଡାଉନ୍’ର ପ୍ରଥମ ସପ୍ତାହଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣୁ ତାକୁ ଭରଣା କରିବା ପାଇଁ ଦେଶବ୍ୟାପୀ ‘ଲକ୍-ଡାଉନ୍’କୁ ଅନ୍ତତଃ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରାଯିବା ଉଚିତ ବୋଲି ଉପରବର୍ଣ୍ଣିତ ଚୀନା ଅନୁଭୂତି, ‘ହୁ’ ଉପଦେଶ ଓ ଭାରତର ପରିସ୍ଥିତିରୁ ଜଣାପଡ଼ିଛି।