ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସ୍ଥିତି ସଂପର୍କରେ କେତେକ ସକାରାତ୍ମକ ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ସେ କହିଛନ୍ତି ଯେ ଦେଶରେ ଏବେ ବି ୪୦୦ ଟି ଜିଲ୍ଲାରେ ଜଣେ ବି କରୋନା ସଂକ୍ରମିତ ନାହାନ୍ତି । ତେବେ ଆସନ୍ତା ୨-୩ ସପ୍ତାହ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି ମଧ୍ୟ କହିଛନ୍ତି ଭାରତ ବିଶ୍ୱର କେତୋଟି ପ୍ରଥମ ଦେଶ ଭାବେ କରୋନା ଭାଇରସ ମୁକାବିଲା ପାଇଁ ଆଗଭର ହୋଇଥିଲା । ଚୀନରେ କରୋନା ଭାଇରସ ଚିହ୍ନଟ ହେବାର କିଛିଦିନ ମଧ୍ୟରେ ହିଁ ଭାରତ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିଲା । ଜାନୁଆରି ୧୭ରୁ ହିଁ ଦେଶରେ ସ୍ୱାସ୍ଥ୍ୟ ପରାମର୍ଶଜାରି କରାଯାଇଥିଲା ଓ ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।
ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୧,୯୩୩ରେ ପହଞ୍ଚିଛି । ଏହା ମଧ୍ୟରୁ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୧୯୭ ଥିବାବେଳେ ମୃତ୍ୟୁସଂଖ୍ୟା ୩୯୨ ଓ ଆରୋଗ୍ୟ ସଂଖ୍ୟା ୧୩୪୩ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ଦେଶରେ ଏବେ ୧୭୦ଟି ଜିଲ୍ଲା ହଟସ୍ପଟ ଓ ୨୬୦ ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।