ବଲାଙ୍ଗୀର: ବଲାଙ୍ଗୀରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଟ୍ରେନ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ମା ଓ ନବଜାତ ଶିଶୁପୁତ୍ରକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ମା ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ବୋଲି ବଲାଙ୍ଗୀର ସିଡିଏମଓ ଡ.ନାରାୟଣ ଥନାପତି ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଲକଡାଉନ ପରେ ସେ ଫସି ରହିଥିଲେ । ସ୍ତ୍ରୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ । ପଂଜିକରଣ କରାଇ ନିଜ ଗାଁକୁ ଫେରିବାକୁ ଉଦ୍ୟମ କରିଥିଲେ । ଗର୍ଭବତୀ ସ୍ତ୍ରୀ ସହ ଟ୍ରେନରେ ସେ ଆଜି ଫେରୁଥିଲେ । ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି ହେବା ପରେ ତାଙ୍କ ସ୍ତ୍ରୀଙ୍କ କଷ୍ଟ ବଢିଥିଲା ଓ ସେ ଟ୍ରେନରେ ହିଁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଏହା ଜାଣିବା ପରେ ଟ୍ରେନରେ ଉପସ୍ଥିତ କର୍ମଚାରୀମାନେ ବଲାଙ୍ଗୀର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ ।
ଷ୍ଟେସନ କର୍ତ୍ତୃପକ୍ଷ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଥିଲେ । ଟ୍ରେନ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ତୁରନ୍ତ ମାଁ ଓ ଛୁଆଙ୍କୁ ଡାକ୍ତରଖାନାକୁ ନିଆଯାଇ ଏକ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଉଭୟେ ସୁସ୍ଥ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ଯାହା କିଛି ସୁବିଧାସୁଯୋଗ ରହିଛି ତାହା କୁନ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସିଡିଏମଓ କହିଛନ୍ତି ।
୨ ଟ୍ରେନ ଶ୍ରମିକ ସ୍ପେସାଲ ଟ୍ରେନ ପହଞ୍ଚିଲା
ବଲାଙ୍ଗୀର ଜିଲ୍ଲାକୁ ପ୍ରତ୍ୟହ ବିଭିନ୍ନ ରାଜ୍ୟରୁ ଟ୍ରେନ ଆସୁଛି । ବଲାଙ୍ଗୀର ଷ୍ଟେସନରେ ଓଡିଶାର ବିଭିନ୍ନ ଜିଲ୍ଲାର ଶ୍ରମିକ ସବୁ ଓହ୍ଲାଉଛନ୍ତି । ଆଜି ଦୁଇଟି ଟ୍ରେନରେ ହଜାର ସଂଖ୍ୟାରେ ଶ୍ରମିକ ଫେରିଛନ୍ତି । ତେଲେଙ୍ଗାନା ବୋଲାରମରୁ ପ୍ରଥମ ଟ୍ରେନରେ ୧୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଫେରିଥିବା ବେଳେ ତାମିଲନାଡୁ ଇରୋଡରୁ ଦ୍ୱିତୀୟ ଟ୍ରେନରେ ମଧ୍ୟ ହଜାରେରୁ ଉର୍ଦ୍ଧ୍ୱ ଶ୍ରମିକ ଫେରିଛନ୍ତି । ବଲାଙ୍ଗୀର ଜିଲ୍ଲାର ବହୁ ଶ୍ରମିକ ଟ୍ରେନରେ ଫେରୁଥିବା ବେଳେ ଅନ୍ୟ ଜିଲ୍ଲାର ଶ୍ରମିକମାନେ ବି ଫେରୁଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଶ୍ରମିକମାନଙ୍କୁ ତାଙ୍କ କ୍ୱାରେଣ୍ଟାଇନ ସେଣ୍ଟରକୁ ବସ ଯୋଗେ ପଠାଉଛନ୍ତି ।