ସିଏପିଏଫ୍ କ୍ୟାଣ୍ଟିନ୍ରୁ ହଟିବନି ୧୦୨୬ ସାମଗ୍ରୀ, ଖୁବ୍ଶୀଘ୍ର ଆସିବ ନୂଆ ତାଲିକା
ନୂଆଦିଲ୍ଲୀ: ସାରା ଦେଶର ସିଏପିଏଫ୍ କ୍ୟାଣ୍ଟିନଗୁଡ଼ିକରେ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକର ତାଲିକାରୁ ୧୦୨୬ଟି ସାମଗ୍ରୀକୁ ବାଦ ଦେବା ଲାଗି ଆଜି ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ସ୍ବଦେଶୀ ସାମଗ୍ରୀକୁ ସହାୟତା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ଥିଲା। ମାତ୍ର କିଛି ଉତ୍ପାଦକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା ପରେ ସେହି ତାଲିକା ଉପରେ ସରକାର ରୋକ ଲଗାଇଛନ୍ତି। ଖୁବ୍ଶୀଘ୍ର ନୂଆ ତାଲିକା ଜାରି କରାଯିବ ବୋଲି କୁହାଯାଇଛି। ସରକାରୀ କ୍ୟାଣ୍ଟିନଗୁଡ଼ିକରେ କେବଳ ଭାରତ ନିର୍ମିତ ଉତ୍ପାଦ ବିକ୍ରି କରିବାକୁ ଗୃହ ମନ୍ତ୍ରୀ ଅମିତ ଶାହ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ବିଭିନ୍ନ ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର କେଉଁ ସାମଗ୍ରୀକୁ ମେଡ୍ ଇନ୍ ଇଣ୍ଡିଆ ଓ କାହାକୁ ଆମଦାନି ହେଉଥିବା ସାମଗ୍ରୀ ବର୍ଗରେ ସାମିଲ କରାଯିବ ତାହା ଏକ ଜଟିଳ ବ୍ୟାପାର ଭାବେ ଉଭା ହୋଇଥିଲା। ପାରା ମିଲିଟାରି କ୍ୟାଣ୍ଟିନ ପରିଚାଳନା କରିବା ଦାୟିତ୍ବରେ ଥିବା ସଂସ୍ଥା କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର (କେପିକେବି)ର ଡିଆଇଜି ରୢାଙ୍କ୍ର ଜଣେ ଅଧିକାରୀ ଆର୍ଏମ୍ ମିନା ସେହି ତାଲିକାକୁ ଗତ ମାସ ୨୯ରେ ଜାରି କରିଥିଲେ। ସେ ହେଉଛନ୍ତି ଏହି ସଂସ୍ଥାର ସିଇଓ। ସେହି ତାଲିକାକୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି ଏବଂ ଏହି ତ୍ରୁଟି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସିଆର୍ପିଏଫ୍ର ଡିଜି ଏପି ମାହେଶ୍ବରୀ କହିଛନ୍ତି। କେପିକେବି ପକ୍ଷରୁ କ୍ୟାଣ୍ଟିନରୁ ହଟାଇବାକୁ ଥିବା ସାମଗ୍ରୀର ତିନିଟି ତାଲିକା ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ବର୍ଗରେ କେବଳ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀଗୁଡ଼ିକୁ ରଖାଯାଇଥିଲା। ଦ୍ବିତୀୟ ବର୍ଗରେ ସେହି ସାମଗ୍ରୀଗୁଡ଼ିକୁ ରଖାଯାଇଥିଲା ଯେଉଁଥିର କିଛି ସାମଗ୍ରୀ ଆମଦାନି କରାଯାଉଥିବା ବେଳେ ବଳକା ଅଂଶକୁ ଭାରତରେ ଆସେମ୍ବଲ କରାଯାଉଛି। ତୃତୀୟ ବର୍ଗରେ ସମ୍ପୂର୍ଣ୍ଣ ରୂପେ ଆମଦାନି ହେଉଥିବା ସାମଗ୍ରୀଗୁଡ଼ିକୁ ରଖାଯାଇଥିଲା। ତୃତୀୟ ବର୍ଗରେ ୧୦୨୬ଟି ସାମଗ୍ରୀ ଥିଲା।