ଅକଳରେ ପକାଇଲାଣି କୋଭିଡ୍ କେଳେଙ୍କାରୀ : ୭ ପ୍ରଶ୍ନର ଜବାବ ମାଗିଲା କଂଗ୍ରେସ

‘ଅନିୟମିତତା ପ୍ରଶ୍ନ କରିବା ନକରାତ୍ମକ ନୁହେଁ’

ଭୁବନେଶ୍ବର : କୋଭିଡ଼୍ ସାମଗ୍ରୀ କିଣା ପ୍ରସଙ୍ଗକୁ ନେଇ ରାଜନୀତି ଧୀରେ ଧୀରେ ଗମ୍ଭୀର ରୂପ ଧାରଣ କଲାଣି। ବିଜେପି ଏହି ପ୍ରସଙ୍ଗରେ ବିଶେଷ ଆଗ୍ରହୀ ଥିବା ଭଳି ଦେଖାଯାଉନାହିଁ। ତେବେ ବିଜେଡି ଏହି ପ୍ରସଙ୍ଗକୁ ଯେମିତି ଏଡ଼ାଉଛି, କଂଗ୍ରେସ ତାକୁ ସେତିକି ଘାଣ୍ଟୁଛି। ରାଜ୍ୟରେ ମେଡିକାଲ କର୍ପୋରେସନରେ ଏହି ଦୁର୍ନୀତି ଅଭିଯୋଗକୁ ବିଜେଡି ନକାରାତ୍ମକ ଆଭିମୁଖ୍ୟ ବୋଲି କହି ଗତକାଲି ସମାଲୋଚନା କରିବା ପରେ କଂଗ୍ରେସ ଆହୁରି ଅଧିକ ଶାଣିତ ଢଙ୍ଗରେ ଆଜି ପାଲଟା ଜବାବ ଦେଇଛି। କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ୭ଟି ପ୍ରଶ୍ନ ପଚାରି ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଏହାସହିତ କହିଛନ୍ତି ଯେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ନକରାତ୍ମକ ରାଜନୀତିର ପରିଭାଷା ବୋଧହୁଏ ଠିକ୍ ଭାବେ ଜଣାନାହିଁ। ଅନ୍ୟଥା ଦୁର୍ନୀତି ଓ କେଳେଙ୍କାରୀ ବିଷୟରେ ପ୍ରଶ୍ନ କରିବାକୁ ନକାରାତ୍ମକ ରାଜନୀତି ବୋଲି ସେ କହିନଥାନ୍ତେ।

କଂଗ୍ରେସ ପଚାରିଛି, କେନ୍ଦ୍ର ସରକାର କେଉଁ ଚିଠିରେ ରାଜ୍ୟ ସରକାରଙ୍କୁ ୧୬ ଟଙ୍କାରେ ମାସ୍କ କିଣିବା ପାଇଁ ନିର୍ଦେଶ ଦେଇଥିଲେ? ମାର୍ଚ୍ଚ ୨୪ ତାରିଖ ଚିଠିର ମର୍ମ ବିଜେଡି ଠିକ୍ ଭାବେ ବୁଝିଛି କି? ଏପ୍ରିଲ ୬ ତାରିଖରେ ଟ୍ରିପଲ୍ ଲେୟାର ମାକ୍ସ ୧୦ ଟଙ୍କାରେ ଯୋଗାଇ ଦେବାକୁ ଔଷଧ ନିଗମ ବିଜ୍ଞପ୍ତି ପ୍ରକାଶ କରି ଏପ୍ରିଲ ୧୭ ତାରିଖରେ କେମିତି ଓ କାହିଁକି ୧୬ ଟଙ୍କାରେ ମାସ୍କ ଦେବାକୁ ଅର୍ଡର ଦେଲେ? ପ୍ରଥମେ ଏହାକୁ ସ୍ପଷ୍ଟ କରନ୍ତୁ।

ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଗୁଜରାଟ, ତେଲେଙ୍ଗାନା ପ୍ରଭୃତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥାକ୍ରମେ ୮ଟଙ୍କା ୪୭ ପଇସା, ୭ ଟଙ୍କା ୮୮ପଇସା, ୭ଟଙ୍କା ୫୦ପଇସା, ୨ଟଙ୍କା ୪୦ ପଇସା ଓ ୧ ଟଙ୍କା ୩୪ ପଇସାରେ ମାସ୍କ କିଣିଥିବା ବେଳେ ଶ୍ରୀ ବିଷ୍ଣୁ ଡିସ୍‌ପୋଜେବଲ୍ ପ୍ରାଇଭେଟ୍ ଲିମିଟେଡ୍ ଠାରୁ କାହିଁକି ସରକାର ୧୬ ଟଙ୍କାରେ ମାସ୍କ କିଣିଲେ? ରିୟଲ ଟାଇମ୍ ପିସିଆର୍ ମେସିନ୍‌କୁ ୧୨.୯୪ ଲକ୍ଷ ଟଙ୍କାରେ ଓ ସେଥିରେ ବ୍ୟବହୃତ କିଟ୍‌ ୧୩୪୦ ଟଙ୍କାରେ କିଣିଛନ୍ତି ନା ନାହିଁ? ଏହାର ବଜାର ଦର ଏହି ଦରଠାରୁ କମ୍ ନା ନାହିଁ?

କଂଗ୍ରେସ ଆହୁରି କହିଛି ଯେ କୋଭିଡ୍‌ର ପ୍ରମୁଖ ଭାଗରେ ଥିବା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ବ୍ୟବହୃତ ପିପିଇ ବିନା ପରୀକ୍ଷାରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପିନ୍ଧିବାକୁ ଦେଇ ସେମାନଙ୍କୁ ସରକାର ବିପଦ ମୁହଁକୁ ଠେଲିନାହାନ୍ତି କି? ଭୁବନେଶ୍ବରରେ ସିପେଟ୍ ଭଳି ସଂସ୍ଥା ଥିବା ବେଳେ କାହିଁକି ସରକାର ସେସବୁକୁ ଟେଷ୍ଟିଂ କଲେ ନାହିଁ? ଔଷଧ ନିଗମ କାହିଁକି ବିଭିନ୍ନ କଂପାନିଠାରୁ ଟେଷ୍ଟିଂ କିଟ୍ ଭିନ୍ନ ଭିନ୍ନ ଦାମ୍‌ରେ କିଣିଛି? ଏପ୍ରିଲ ୪ ତାରିଖରେ େମସର୍ସ ଇଙ୍କେସ ମେଡିକେୟାରଠାରୁ ୧୩୨୧ ଟଙ୍କାରେ କିଣାଯାଇଥିବା ବେଳେ ମେ’୭ ତାରିଖରେ ମେସର୍ସ ରବୀନ୍ଦ୍ର ସର୍ଜରିସ୍ ପ୍ରାଇଭେଟ୍ ଲିମିେଟଡ୍ ଠାରୁ ୧୧୨୫ ଟଙ୍କାରେ ଓ ଏକ୍ସସ୍ ମେଡିକମ୍ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ମେ’ ୧୧ ତାରିଖରେ ୯୮୦ ଟଙ୍କାରେ ଏସବୁ କାହିଁକି କିଣାହେଲା?

ରାଜ୍ୟର ଅନେକ ଏମଏସଏମଇ ସଂସ୍ଥା ମାସ୍କ, ସାନିଟାଇଜର ଅନ୍ୟାନ୍ୟ ଦରକାରୀ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା ବେଳେ ଏବଂ ସେମାନଙ୍କ ଠାରୁ ୨୦ ପ୍ରତିଶତ ଜିନିଷ କିଣିବା ଲାଗି ନିର୍ଦେଶ ଥିବା ବେଳେ ସରକାର ବାହାର ରାଜ୍ୟରୁ ଅଧିକାଂଶ ଜିନିଷ ପତ୍ର କାହିଁକି କିଣୁଛନ୍ତି? ସର୍ବୋପରି ରାପିଡ୍ ଟେଷ୍ଟିଂ ମେସିନ୍ ଅଦରକାରୀ ବୋଲି ଆଇସିଏମ୍ଆର୍ କହିଥିବା ବେଳେ କେଉଁ କଂପାନିକୁ ଓ କାହିଁକି ୧୨ କୋଟି ଟଙ୍କା ଅଗ୍ରୀମ ଦିଆଯାଇଛି ବୋଲି ଦଳ ପ୍ରଶ୍ନ ପଚାରିଛି। ଯଦି ଏସବୁ ପ୍ରଶ୍ନର ଉତ୍ତର ମିଳିଯାଏ, ତେବେ ସରକାରଙ୍କ ନାମରେ ଦୁର୍ନୀତି ଓ କେଳେଙ୍କାରୀର ଅଭିଯୋଗ ଲଗାଇବୁ ନାହିଁ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର