ବୀରହୋଡ଼ ଏବଂ ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି ଗଠିତ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଆଦିମ ଅଧିବାସୀ ଜୁଆଙ୍ଗ ଗାଁ ନଗଡ଼ାରେ ଶିଶୁ ମଡ଼କ ପାଇଁ ସମଗ୍ର ଦେଶରେ ୨୦୧୬ ମସିହାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଫଳରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୧୮ରେ ଯାଜପୁର, କେନ୍ଦୁଝର ଓ ‌ଢେଙ୍କାନାଳ ଜିଲ୍ଲାର ଆଦିମ ଜନଜାତି ବୀରହୋଡ଼, ଜୁଆଙ୍ଗ ଓ ପାଉଡ଼ି ଭୂୟାଁ ଉପରେ ଗବେଷଣା କରି ବିକାଶ ପାଇଁ ଏହି ୩ଟି ଜିଲ୍ଲାର ୨୫୦ଗ୍ରାମକୁ ନେଇ ୩ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେସି ତିଆରି କରିବାକୁ ସମୀକ୍ଷା କରିଥିଲେ। ଯାହାକୁ ନେଇ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବସବାସ କରୁଥିବା ଅବହେଳିତ ଜୁଆଙ୍ଗ ଏବଂ ବୀରହୋଡ଼ ଜନଜାତିର ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କର ବିକାଶ ପାଇଁ ବୀରହୋଡ଼ ଏବଂ ଜୁଆଙ୍ଗ ଡେଭଲପମେଣ୍ଟ ‌ଏଜେନ୍ସି(ବିଜେଡିଏ) ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ଗତ ୪ ତାରିଖରେ ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ବସବାସ କରୁଥିବା ବୀରହୋଡ଼ ଏବଂ ଜୁଆଙ୍ଗମାନଙ୍କୁ ଏଥିରେ ସାମିଲ କରାଯିବ। ବିଜେଡିଏର ମୁଖ୍ୟ କାର୍ଯ୍ୟାଳୟ ସୁକିନ୍ଦା ବ୍ଲକରେ ହିଁ ରହିବ। ସୁକିନ୍ଦା ବ୍ଲକର ବିଡିଓ ଏହାର ସ୍ବତନ୍ତ୍ର ଅଧିକାରୀ ଭାବରେ କାର୍ଯ୍ୟ କରିବେ। ଏଥିରେ ବ୍ଲକର ୩ଟି ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମକୁ ସାମିଲ କରାଯିବ।

ସୂଚନା ଅନୁଯାୟୀ, ସୁକିନ୍ଦା ବ୍ଲକରେ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଗୁହିଆଶାଳ, ଗୁହିଆଶାଳ/ତଳଡିହି ହାମଲେଟ, ମଝି ନଗଡ଼ା, ତଳ ନଗଡ଼ା, ଉପର ନଗଡ଼ା, ତୁମୁଣି, କଙ୍କଡ଼ାଗୋଡ଼ି, ଦେଓଗାଁ, ଅଶୋକଝର ହାମଲେଟ, ସ୍କୁଲ ସାହି ହାମଲେଟ, କୁମୁଟିବାହେଲି, କଂସ ପଞ୍ଚାୟତର କଂସ, ଟିକରପଡ଼ା ଏବଂ ରାସୋଲ ପଞ୍ଚାୟତର କଲରଙ୍ଗିତା, ମହ୍ଲାରସାହି ପ୍ରଭୃତି ଏଥିରେ ସାମିଲ କରାଯାଇଛି। ଏହି ୩ଟି ପଞ୍ଚାୟତ ମଧ୍ୟରୁ ଦୁଇଟି ପଞ୍ଚାୟତର ୧୧ଟି ଗାଁରେ ଜୁଆଙ୍ଗ ସଂପ୍ରଦାୟ ରହିଥିବା ବେଳେ ରାସୋଲ ପଞ୍ଚାୟତର ଦୁଇଟ ଗାଁରେ ବୀରହୋଡ଼ ଜନଜାତି ବସବାସ କରୁଛନ୍ତି। ବିଜେଡିଏର କାର୍ଯ୍ୟକାରୀ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଭାବେ କାର୍ଯ୍ୟକରିବେ। ଏଥିରେ ପିଏଆଟିଡିଏ କିମ୍ବା ପିଡିଡିଆରଡିଏ ଉପାଧ୍ୟକ୍ଷ, ସ୍ଥାନୀୟ ସାଂସଦ, ବିଧାୟକ, ତହସିଲଦାର, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ଡିଏଫଓ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ଅଗ୍ରଣୀ ବ୍ୟାଙ୍କର ଶାଖା ପରିଚାଳକ, ଜିଲ୍ଲା ଶିକ୍ଷା ଅଧିକାରୀ, ସରପଞ୍ଚ, ଅଣୁ ପ୍ରକଳ୍ପର ସ୍ବତନ୍ତ୍ର ଅଧିକାରୀ ଏବଂ ପ୍ରତ୍ୟେଜ ଜନଜାତିର ଜଣେ ପ୍ରତିନିଧି ଏଥିରେ ସଦସ୍ୟ ରହିବେ।

ସମ୍ବନ୍ଧିତ ଖବର