ଫୁଲବାଣୀ :ପ୍ରଥମ ରଜ ଗଲା। ଆଜି ରଜର ଦ୍ବିତୀୟ ଦିନ। ଆସନ୍ତାକାଲି ରଜ ଶେଷ ଦିନ। ହେଲେ କରୋନା ପାଇଁ ରଜପର୍ବ ଫିକା ପଡି ଯାଇଛି। ଏହି ୩ ଦିନ ରଜ ପର୍ବକୁ ସମଗ୍ର ଓଡିଶାରେ ଧୂମଧାମରେ ପାଳନ କରାଯାଇଥାଏ। ହେଲେ ଚଳିତ ବର୍ଷ ଏହାକୁ ରୋକିଲା କରୋନା ମହାମାରୀ। କୋଭିଡ-୧୯ ନିୟମ ଅନୁଯାୟୀ ରଜ ପର୍ବ ପାଳନ ଉପରେ ସରକାର କଟକଣା ଜାରି କଲେ। କେହି ପଦାକୁ ବାହାରିବେ ନାହିଁ। କେଉଁଠି ହେଲେ ଦୋଳି ପଡି ପାରିବ ନାହିଁ। ଏଥି ଯୋଗୁ ନାଁ ଦୋଳି ପଡିଲା। ନାଁ ବୁଲାବୁଇ ହୋଇ ପାରିଲା। କେବଳ ଘରେ ରହେ ପିଠାପଣା,ମାଛ ମାଂସ ଖାଇବାକୁ ପଡିଲା। ବାହାରକୁ ଗଲେ ରଜ ପାନରେ କାମ ଚଳାଇ ଦେବାକୁ ପଡିଲା।
Sambad is now on WhatsApp
Join and get latest news updates delivered to you via WhatsApp
କନ୍ଧମାଳ ଜିଲ୍ଲାରେ ରଜ ଉତ୍ସବ ଯଦିଓ ଯାକଜକମରେ ପାଳନ ହୁଏ ନାହିଁ। ତଥାପି ଫୁଲବାଣୀ,ବାଲିଗୁଡା,ଘୁ.ଉଦୟଗିରି ସମେତ କେତେକ ସହରାଞ୍ଚଳରେ ରଜପର୍ବର ବାସ୍ନା ବାରି ହୋଇଥାଏ। ଆଉ ବାହାର ଜିଲ୍ଲାରୁ ଏଠାରେ ବସବାସ କରୁଥିବା ଲୋକ ଏବଂ ଚାକିରି କରିଥିବା ଅଧିକାରୀ ବି ରଜପର୍ବ ପାଇଁ ଗାଁକୁ ଯିବାକୁ ଚାହୁଁ ଥିଲେ ବି ତାହା ସମ୍ଭବ ହୋଇ ପାରି ନାହିଁ। ଗଲେ ମଉଜ ହୋଇ ପାରିବ ନାହିଁ। ସେଥିରେ ପୁଣି କରୋନା ଭୟ। ତେଣୁ ରଜ ପର୍ବ ପାଇଁ ଛୁଟି ଥିଲେ ବି ଘରକୁ ଗଲେ ନାହିଁ ବୋଲି କନ୍ଧମାଳରେ ଚାକିରି କରିଥିବା ମୟୁରଭଞ୍ଜର ଜଣେ ବାସିନ୍ଦା କହିଛନ୍ତି। ସେହିଭଳି କେନ୍ଦୁଝର ଓ କଟକ ଘର ୨ ଜଣ ଅଧିକାରୀ ବି ଅନୁରୂପ କଥା କହିଛନ୍ତି। ଚଳିତ ବର୍ଷ କରୋନା ରଜ ମଉଜ କରିବାକୁ ରୋକ ଲଗାଇ ଦେଇଥିବାରୁ ସମସ୍ତଙ୍କ ମନ ଉଣା ଅଧିକେ ଫିକା ପଡି ଯାଇଛି। ଜିଲ୍ଲା ସଦର ମହକୁମା ଫୁଲବାଣରେ କରୋନା କଟକଣା କଡା ଯୋଗୁ ରଜ ଉତ୍ସବ ସମ୍ପୂର୍ଣ୍ଣ ଫିକା ପଡିଛି। ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି। ତାପରେ ସବୁ ଆଡେ ଶୂନଶାନ। ଏହି ସମୟ ମଧ୍ୟରେ କେହି କେମିତି ରଜ ପାନ ଖାଇ ମନକୁ ବୁଝାଇ କାମ ଚଳାଇ ଦେଉଥିବା ପରିଲକ୍ଷିତ ହେଉଛି। ଏହି ମଉକାରେ ୩ ମାସ ହେଲା ହାତ ବାନ୍ଧି ବସିଥିବା ପାନ ଦୋକାନୀ ବି ବେଶ ଦି ପଇସା ରୋଜଗାର କରିବାକୁ ସୁଯୋଗ ପାଇଛି।
ରଜ ପର୍ବ ପୁଣି ଆସନ୍ତାବର୍ଷ ଆସିବ। ପାଳନ ବି ହେବ। ହେଲେ କରୋନାରେ କାହାର ଜୀବନ ଗଲେ ଆଉ ଫେରି ଆସିବ ନାହିଁ। ତେଣୁ ମହାମାରୀ କରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧିବା,ସମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ସବୁ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମହଲରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।