ଓଡ଼ିଶାରେ ମିଳୁଥିବା ୨୦% ମସଲା ଖାଇବା ଅନୁପଯୋଗୀ: ମସଲାରେ ଏଥିଲିନ୍ ଅକ୍ସାଇଡ୍‌ ଜାଣିବା ପାଇଁ ଧାର୍ଯ୍ୟ ହୋଇନି ମାନଦଣ୍ଡ

ଏଫ୍‌ଏସ୍‌ଏସ୍‌ଏଆଇର ନିର୍ଦ୍ଦେଶାବଳୀ ପରେ ଉଠାଯିବ ମସଲା ନମୁନା

ଭୁବନେଶ୍ବର: ମସଲାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ଭାରତର ୨ଟି ବ୍ରାଣ୍ଡ୍‌ର ମସଲାକୁ ସିଙ୍ଗାପୁର ଓ ହଂକଂ ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିରେ କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ରହିଥିବା ଦୁଇ ଦେଶ ଦାବି କରି ଏହି ପଦକ୍ଷେପ ନେଇଛନ୍ତି। ଯାହା ଲୋକମାନଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି। ଅନ୍ୟପକ୍ଷରେ ଏହାର ସତ୍ୟତା ଜାଣିବା ଲାଗି ଖୁବ୍‌ଶୀଘ୍ର ଭାରତରେ ଏହାର ପରୀକ୍ଷଣ ଆରମ୍ଭ ହେବ।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ଯେଉଁ ବିଭିନ୍ନ ବ୍ରାଣ୍ଡର ମସଲା ମିଳୁଛି। ତହିଁରୁ ୨୦% ନମୁନା ଖାଇବା ଅନୁପଯୋଗୀ ରହିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)ର ଯେଉଁ ମାନଦଣ୍ଡ ରହିଛି ତାହାକୁ ପାଳନ କରିବାରେ କିଛି ବ୍ରାଣ୍ଡର ମସଲା କମ୍ପାନି ବିଫଳ ହୋଇଛନ୍ତି। ଏଥିରେ ରାଜ୍ୟର କିଛି ସ୍ଥାନୀୟ ଓ ରାଜ୍ୟ ବାହାରର ମସଲା ବ୍ରାଣ୍ଡ ରହିଛି। ଗତ ୧ବର୍ଷ ଭିତରେ ରାଜ୍ୟ ଭିତରେ ଯେଉଁ ନମୁନା ସଂଗ୍ରହ ହୋଇଛି ତହିଁରୁ ଏଭଳି ସୂଚନା ସାମ୍ନାକୁ ଆସଛି।

ରାଜ୍ୟ ଖାଦ୍ୟ ପରୀକ୍ଷାଗାର (ଏସ୍‌ଏଫ୍‌ଟିଏଲ୍‌)ରେ ଗତବର୍ଷ ଏପ୍ରିଲ ମାସରୁ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୧୨୨ଟି ମସଲା ନମୁନାର ପରୀକ୍ଷା ହୋଇଥିଲା। ଏଥିରୁ ୭ଟି ନମୁନା ଅସୁରକ୍ଷିତ ଓ ୧୭ଟି ନମୁନା ନିମ୍ନମାନର ରହିଛି। ୧୨୨ ମସଲା ନମୁନାରୁ ୨୪ଟି ଖାଇବା ଅନୁପଯୋଗୀ ରହିଛି। ଏଥିରେ ଗରମ ମସଲା ଓ ଅନ୍ୟାନ୍ୟ ମସଲା ସବୁ ରହିଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ସାଧାରଣଭାବେ ୨ପ୍ରକାରର ନମୁନା ସଂଗ୍ରହ ହୋଇଥିଲା। ଗୋଟିଏ ସର୍ଭେଲାନ୍‌ସ ଓ ଅନ୍ୟଟି ଲିଗାଲ ନମୁନା। ଏହି ୧୨୨ଟି ମସଲା ହେଉଛି ଲିଗାଲ ନମୁନା। ତେଣୁ ମାନଦଣ୍ଡ ପାଳନରେ ବିଫଳ ହୋଇଥିବା କମ୍ପାନି ନାଁରେ ମାମଲା ରୁଜୁ କରିବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ବିଭିନ୍ନ ସମୟରେ ହୋଇଥିବା ସର୍ଭେଲାନ୍‌ସରେ ମୋଟ୍‌ ୪୯୨ ନମୁନା ସଂଗ୍ରହ ହୋଇଥିଲା। ତହିଁରୁ ୫ଟି ନମୁନା ଅସୁରକ୍ଷିତ ଓ ଗୋଟିଏ ନମୁନା ନିମ୍ନମାନର ରହିଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଜାରରେ ମିଳୁଥିବା ମସଲା ବ୍ରାଣ୍ଡ୍‌ରେ ଇଟିଓ (ଏଥିଲିନ୍ ଅକ୍ସାଇଡ୍‌)କୁ ନେଇ କେନ୍ଦ୍ର-ରାଜ୍ୟରେ ଆଲୋଚନା ଜାରି ରହିଛି। ନିକଟରେ ହୋଇଥିବା ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ ମସଲାରେ ଇଟିଓ ରହିଥିବା ନେଇ ଯାଞ୍ଚ ହୋଇ ନ ଥାଏ। ଯେଉଁ ଦେଶମାନଙ୍କୁ ଭାରତର ବିଭିନ୍ନ ବ୍ରାଣ୍ଡର ମସଲା ପଠାଯାଉଛି ସେସବୁ ରାଜ୍ୟରେ ଇଟିଓ ପରୀକ୍ଷଣ ହୋଇଥାଏ। ଯେହେତୁ ଭାରତରେ ବିକ୍ରି ହେବା ଲାଗି ଇଟିଓର ପରୀକ୍ଷା ହୁଏନାହିଁ, ସେଥିପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ମଧ୍ୟ ଏଥିପାଇଁ କୌଣସି ମାନଦଣ୍ଡ ନାହିଁ। ମାତ୍ର ଇଟିଓକୁ ନେଇ ଏବେ ବିବାଦ ଦେଖା ଦେବା ପରେ ଏଫ୍‌ଏସ୍‌ଏସ୍‌ଏଆଇ ଏହା ଉପରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଦେଶର ୪୨ଟି ପରୀକ୍ଷାଗାରରେ ଇଟିଓର ପରୀକ୍ଷା ହୋଇପାରିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଏଥିରେ ଓଡ଼ିଶାର କୌଣସି ପରୀକ୍ଷାଗାର ନାହିଁ।

ରାଜ୍ୟ ଖାଦ୍ୟ ସୁରକ୍ଷା କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏଫ୍‌ଏସ୍‌ଏସ୍‌ଏଆଇରୁ ନିର୍ଦ୍ଦେଶ ଆସିବା ପରେ ସବୁ ମସଲା ଉତ୍ପାଦନ ସ୍ଥାନରୁ ଇଟିଓ ପାଇଁ ନମୁନା ସଂଗ୍ରହ କରାଯିବ। ମାତ୍ର ଏହାର କ’ଣ ମାନଦଣ୍ଡ ରହିବ ତାହା ସଂପର୍କରେ କେନ୍ଦ୍ରରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଓଡ଼ିଶାର କୌଣସି ପରୀକ୍ଷାଗାର ଇଟିଓ ପରୀକ୍ଷା ପାଇଁ ନ ରହିବା ପଛରେ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ। ରାଜ୍ୟରେ ପ୍ରସ୍ତୁତ ହେଉଥିବା ମସଲା ବ୍ରାଣ୍ଡଗୁଡ଼ିକ କୋଲକାତା ପୋର୍ଟ ଦେଇ ବାହାରକୁ ରପ୍ତାନୀ ହୋଇଥାଏ। ତେଣୁ କୋଲାକାତାରେ ଯେଉଁ ବଡ଼ ପରୀକ୍ଷାଗାର ରହିଛି ସେଠାରେ ଇଟିଓର ପରୀକ୍ଷା କରାଯିବ। ଇଟିଓ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ପୁଣିଥରେ କେନ୍ଦ୍ର ସରକାର ଏ ସଂପର୍କରେ ରାଜ୍ୟମାନଙ୍କ ସହ ଆଲୋଚନା କରିବେ। ଏହାସହ ଗତ ୧ବର୍ଷ ଭିତରେ ଯେଉଁ ମସଲା ବ୍ରାଣ୍ଡର ନମୁନା ଖାଦ୍ୟ ଅନୁପଯୋଗୀ ରହିଛି, ସେସବୁ କମ୍ପାନି ବିରୋଧରେ ମାମଲା ଚାଲିବ। ମସଲା କମ୍ପାନିର ନାମ ବାହାରେ ପ୍ରକାଶ କରିହେବ ନାହିଁ। ରାଜ୍ୟ ବାହାରର ମସଲା କମ୍ପାନି ପାଇଁ ସଂପୃକ୍ତ ରାଜ୍ୟର ଖାଦ୍ୟ ସୁରକ୍ଷା କମିସନରଙ୍କୁ ଏହା ସଂପର୍କରେ ପତ୍ର ଲେଖାଯିବ। ଆଗକୁ ମସଲାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା କମିସନର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର