ଗଲଓ୍ଵାନ ସଂଘର୍ଷ ପାଇଁ ଓଲଟା ଭାରତୀୟ ସେନାକୁ ଦାୟୀ କଲେ ଚୀନ ବିଦେଶ ମନ୍ତ୍ରୀ, ଭାରତର ବିଦେଶ ମନ୍ତ୍ରୀଙ୍କ ରୋକଠୋକ ଜବାବ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଦୁଇ ଦେଶର ବେଦେଶିକ ମନ୍ତ୍ରୀ ଫୋନରେ କଥା ହୋଇଛନ୍ତି । ଉତ୍ତେଜନାକୁ ହ୍ରାସ କରି ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ପକ୍ଷ ଆଲୋଚନା କରିଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ ଫୋନରେ କଥା ହୋଇ ଯଥା ଶୀଘ୍ର ଉତ୍ତେଜନା ହ୍ରାସ ପାଇଁ ସହମତ ହୋଇଛନ୍ତି । ପରସ୍ପର ମଧ୍ୟରେ ସହଯୋଗ ରଖି ଗଲଓ୍ଵାନ ବିବାଦର ସମାଧାନ କରିବାକୁ ଉଭୟେ ରାଜି ହୋଇଛନ୍ତି ।

ତେବେ ଏହି ଆଲୋଚନା ଅବସରରେ ଚୀନ ବିଦେଶ ମନ୍ତ୍ରୀ ଓଲଟା ଭାରତୀୟ ସେନାକୁ ଏହି ବିବାଦ ପାଇଁ ଦାୟୀ କରିଛନ୍ତି । ଯେଉଁମାନେ ଏହି ବିବାଦ ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚୀନ ଦାବି କରିଛି । ଭାରତୀୟ ପକ୍ଷ ଗଲଓ୍ଵାନକୁ ନେଇ କରାଯାଇଥିବା ପୂର୍ବ ସହମତିକୁ ବଳପୂର୍ବକ ବଦଳେଇବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଭାରତର ବିଦେଶ ମନ୍ତ୍ରୀମଧ୍ୟ ଏହାର ସିଧା ଜବାବ ଦେଇଥିଲେ । ଚୀନର ଯୋଜନାବଦ୍ଧ କାର୍ଯ୍ୟ ଯୋଗୁଁ ହିଂସାକାଣ୍ଡ ହେଲା ବୋଲି ସେ କହିଛନ୍ତି ।

ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହି ଘଟଣାରେ ଚୀନର ସବୁଠାରୁ ଅଧିକ ଯବାନ ମୃତାହତ ହୋଇଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ । ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର