କଳାହାଣ୍ଡିରେ ପୁଣି ୭ କରୋନା ପଜିଟିଭ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫କୁ ବୃଦ୍ଧି

କରୋନା: କଳାହାଣ୍ଡି ଜିଲ୍ଲାରୁ ଆଜି ପୁଣି ୭ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୪ ଜଣ ମହିଳା। ଏମାନେ ସମସ୍ତେ ନିକଟରେ ତାମିଲନାଡୁରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ। ସଂଗରୋଧ କେନ୍ଦ୍ରରେ ଥିବା ବେଳେ ସମସ୍ତଙ୍କର ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଏବେ ପରୀକ୍ଷା ରିପୋର୍ଟ ଆସିବା ପରେ କରୋନା ପଜିଟିଭ୍‌ ଥିବା ଜଣାଯାଇଛି। ସମସ୍ତଙ୍କୁ କୋଭିଡ୍‌-୧୯ ହସ୍‌ପିଟାଲ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ ଗତ ଏପ୍ରିଲ ୪ ତାରିଖରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗୋଲାମୁଣ୍ଡା ବ୍ଲକର ଜଣେ ଯୁବକ ବିଦେଶରୁ ଫେରି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲେ। ଜିଲ୍ଲାରେ ଗତ ୧୩ ତାରିଖ ଦିନ ସର୍ବାଧିକ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଯାଏଁ କଳାହାଣ୍ଡି ଜିଲ୍ଲାରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆହୁରି ୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର