ମହାପ୍ରଭୁଙ୍କ ରଥଯାତ୍ରା : ଆଶା ଦେଖାଇଲେ ଗଜପତି; ସୋମବାରକୁ ଅପେକ୍ଷା, ନହେଲେ ବିକଳ୍ପ ଚିନ୍ତା

ରାୟର ପୁନଃବିଚାର କରାଯାଉ: ଶଙ୍କରାଚାର୍ଯ୍ୟ

ସରକାର ଆଉଥରେ ସୁପ୍ରିମକୋର୍ଟକୁ ଯାଆନ୍ତୁ
ବିନା ଭକ୍ତରେ ରଥଯାତ୍ରା କରିବାକୁ ପ୍ରସ୍ତାବ
୧୦/୧୨ ଲକ୍ଷ ସମାଗମ ତଥ୍ୟ ଅଡ଼ୁଆର କାରଣ

ପୁରୀ : ସବୁ ନିରାଶା ଭିତରେ ପୁଣି ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଆଉ ଏକ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏବେ ବି ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ। ଆସନ୍ତା ସୋମବାର ଦିନ ଯଦି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ ଦାଖଲ ହୋଇଥିବା ମାମଲାର ପୁନଃବିଚାର କରନ୍ତି, ତେବେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ। ଭକ୍ତ ବିନା ରଥଯାତ୍ରା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ଦିବ୍ୟସିଂହ ମହାରାଜା ଆଜି ପୁଣି ଥରେ ଏଭଳି ଆଶା ଦେଖାଇଛନ୍ତି। ଘନ ଘନ ବୈଠକ ପରେ ଗଜପତି ମହାରାଜା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ରଥଯାତ୍ରା ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ଉପରେ ନିର୍ଭର କରୁଛି। ସୁପ୍ରିମକୋର୍ଟ ତାଙ୍କ ନିର୍ଦେଶର ପୁନଃବିଚାର କରିବା ପାଇଁ ଏକାଧିକ ପିଟିସନ୍ ପଡ଼ିଥିବା ସୂଚନା ମିଳିଛି। ଆସନ୍ତା ସୋମବାର ଯଦି ଏ ସଂକ୍ରାନ୍ତରେ କୌଣସି ରାୟ ନ ଆସେ, କୋର୍ଟ ଯଦି ରଥଯାତ୍ରାକୁ ମନା କରନ୍ତି, ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଗଜପତି କହିଛନ୍ତି।

ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟି ରଥଯାତ୍ରା ବନ୍ଦ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ନିର୍ଦେଶ ଉପରେ ବିଶଦ ଆଲୋଚନା କରିଥିଲେ। ପରେ ଆଲୋଚନା ପୁଣି ସନ୍ଧ୍ୟାକୁ ରହିଥିଲା। ସନ୍ଧ୍ୟାରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୪ ଘଣ୍ଟା ଧରି ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗର ମିଳିତ ବୈଠକରେ ରଥଯାତ୍ରା ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ବୈଠକ ଆରମ୍ଭରୁ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ଆଦେଶକୁ ନେଇ ତମ୍ବିତୋଫାନ ହୋଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଭକ୍ତରେ ରଥଯାତ୍ରା କରିବାକୁ କହିଥିବା ବେଳେ କାହିଁକି ଏ ତଥ୍ୟ କୋର୍ଟଙ୍କ ସାମ୍ନାକୁ ଅଣାଗଲା ନାହିଁ ବୋଲି ସେବାୟତମାନେ ପ୍ରଶ୍ନ କରିଥିଲେ। ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ, ସର୍ବୋପରି ସେବକମାନେ ଏହି ପ୍ରସଙ୍ଗକୁ ନେଇ ଗଜପତି ମହାରାଜଙ୍କୁ ନାନା ପ୍ରଶ୍ନ କରିବା ସହ ରଥଯାତ୍ରା କିଭଳି ସୁରୁଖୁରରେ ହୋଇପାରିବ, ତାର ଉତ୍ତର ମାଗିଥିଲେ। ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ପୁଣିଥରେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ରଥଯାତ୍ରା ବନ୍ଦ ଆଦେଶର ପୁନଃବିଚାର ପାଇଁ କିଛି ଆବେଦନ ହୋଇଥିବାରୁ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଗଜପତି ମହାରାଜା ଆଜି ରୋକଠୋକ୍ କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କୁ ଭରସା କରିଥିଲୁ। ଗତକାଲି ପର୍ଯ୍ୟନ୍ତ ଆଶା କରିଥିଲୁ, ରଥଯାତ୍ରା ହେବ। ହେଲେ ସରକାରଙ୍କ ଭ୍ରମାତ୍ମକ ତଥ୍ୟ ଯୋଗୁଁ ସୁପ୍ରିମ କୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି, ଏମିତି ଧାରଣା ସୃଷ୍ଟି ହୋଇଛି। ପ୍ରଥମରୁ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଭକ୍ତରେ ରଥଯାତ୍ରା କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ ଏ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇନି। ଓଲଟା ସରକାର ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ସମାଗମ ହୋଇପାରନ୍ତି ବୋଲି ତଥ୍ୟ ରଖିଥିବାରୁ ହୁଏତ ମାନ୍ୟବର ସୁପ୍ରିମକୋର୍ଟ ଏଭଳି ଆଦେଶ ଦେଇଥାଇ ପାରନ୍ତି। ଏଥିପାଇଁ ମାମଲାର ପୁନଃବିଚାର କରିବାକୁ ନିବେଦନ କରାଯାଇଛି। ସରକାର ଏଥିରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ। ସ୍ୱୟଂ ଜଗନ୍ନାଥ ଚାହୁଁଛନ୍ତି ରଥଟଣା ହେଉ ବୋଲି କହିଛନ୍ତି ଗଜପତି ମହାରାଜା।

ତଥାପି ରଥଯାତ୍ରା ବନ୍ଦ ହେଲେ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ, ତାହା ଉପରେ ଶନିବାର ଓ ରବିବାର ଦୁଇଦିନ ଧରି ଆଲୋଚନା ହେବ। ଯଦି ସୋମବାର ରଥଯାତ୍ରା କରିବା ପାଇଁ ସୁପ୍ରିମ‌କୋର୍ଟ କିଛି ନିଷ୍ପତ୍ତି ଶୁଣାନ୍ତି, ତେବେ ବିନା ଭକ୍ତ‌ରେ ରଥଯାତ୍ରା କରିବା ଉପରେ ବ୍ୟବସ୍ଥା କରାଯିବ। ବିନା ଭକ୍ତରେ ରଥଯାତ୍ରା ପାଇଁ ସରକାର ବି ଆବେଦନ କରନ୍ତୁ ବୋଲି ଗଜପତି ମହାରାଜା କହିଛନ୍ତି। ଆଜିର ବୈଠକରେ କେବଳ ମୂଳପୀଠ ପୁରୀର ରଥଯାତ୍ରା ଉପରେ ଆଲୋଚନା ହୋଇଛି ବୋଲି ଗଜପତି ମହାରାଜ କରିଛନ୍ତି। ସେହିପରି ମୂଳ ପୀଠରେ ରଥଯାତ୍ରା ନ ହୋଇ ଅନ୍ୟ ରାଜ୍ୟରେ ରଥଯାତ୍ରା ସମ୍ଭାବନା ସୃଷ୍ଟି ସଂକ୍ରାନ୍ତ ପ୍ରଶ୍ନ ଉପରେ ଗଜପତି ମହାରାଜା ଗମ୍ଭୀରତାର ସହିତ ନେଇଥିଲେ। କହିଥିଲେ, ଏହା କୌଣସି ପରିସ୍ଥିତିରେ ହେବା କଥା ନୁହେଁ।

ରାୟର ପୁନଃବିଚାର କରାଯାଉ: ଶଙ୍କରାଚାର୍ଯ୍ୟ
ପୁରୀ : ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆଜି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ନିଜ ମତ ରଖିଛନ୍ତି। କରୋନା ସଂକ୍ରମଣ ପରିସ୍ଥିତିକୁ ଦେଖି ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ସ୍ବାଗତ କରିବା ସହ ଏହାର ପୁନଃବିଚାର କରାଯାଉ ବୋଲି ମତ ଦେଇଛନ୍ତି।

ଏ ସଂପର୍କରେ ଅଧିକ ସୂଚନା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ସଂପ୍ରତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥ ପ୍ରସଙ୍ଗରେ ଯେଉଁ ନିର୍ଣ୍ଣୟ ପ୍ରଦାନ କରିଛନ୍ତି ସମ୍ଭାବ୍ୟ ବିଭୀଷିକାରୁ ରାଜ୍ୟବାସୀଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଦେଇଛନ୍ତି। ତଥାପି ଅତ୍ୟାବଶ୍ୟକ ବ୍ୟକ୍ତି ବି‌ଶେଷଙ୍କ ଦ୍ବାରା ଶାସ୍ତ୍ର ସମ୍ମତ ପରମ୍ପରାପ୍ରାପ୍ତ ରଥଯାତ୍ରାକୁ କ୍ରିୟାନ୍ବିତ କରିବା ଉପରେ ପୁନଃବିଚାର କରାଯାଉ। ଏହି ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟକୁ ଆମର ଅପେକ୍ଷା ରହିବ। ଏଭଳି କରିବା ଦ୍ବାରା ରଥାରୁଢ଼ ମହାପ୍ରଭୁଙ୍କୁ ଟିଭି ପରଦାରେ ଭକ୍ତବୃନ୍ଦ ଦେଖିପାରିବେ। ଯାହାଦ୍ବାରା ଭକ୍ତବୃନ୍ଦ ଆତ୍ମତୃପ୍ତି ଲାଭ କରିବା ସହ ଶୋକସନ୍ତପ୍ତରୁ ନିଜକୁ ମୁକ୍ତ କରିପାରିବେ।

ସମ୍ବନ୍ଧିତ ଖବର