ବାହାନଗା/ସୋର : ଆଜି ଥିଲା ପିତୃଦିବସ। ବାପାଙ୍କ ଫଟୋ ସହିତ କେତେ ଭାବପ୍ରବଣ ମିଶା ବାର୍ତ୍ତା ଛାଇ ହୋଇଯାଇଛି ଫେସ୍ବୁକ୍ରେ କି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ। କିନ୍ତୁ, ଆଜିର ଦିନରେ ଜଣେ ବୃଦ୍ଧ ପିତାଙ୍କ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ଏହି ବୃଦ୍ଧ ପିତା ଜଣକ ୩ ପୁଅଙ୍କ ଦ୍ବାରା ଉପେକ୍ଷିତ ହୋଇ ଜୀବନଯନ୍ତ୍ରଣା ମଧ୍ୟଦେଇ ଗତି କରୁଛନ୍ତି। ଏମିତିବି ତାଙ୍କୁ ସାହାରା ଦେବାକୁ ଯାଇ ଭାଇଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଛି ଜଣେ ଝିଅକୁ। ସେ ଏବେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ ଘଟିଥିବା ଘଟଣା ଠିକ୍ ଏହିଭଳି। ଏହି ଗାଁର ବାସିନ୍ଦା ୮୩ ବର୍ଷର ବୃଦ୍ଧ ବାଞ୍ଝାନିଧି ବେହେରା। ବାଞ୍ଝାନିଧିଙ୍କ ତିନିପୁଅ, ତିନିଝିଅ। ୩ ଝିଅଙ୍କର ବିବାହ ହୋଇ ଯାଇଥିବାବେଳେ ଜଣେ ପୁଅ ବାହାରେ ରହୁଛି। ଗାଁରେ ବାଞ୍ଝାନିଧି ଦୁଇ ପୁଅଙ୍କ ସହ ରହୁଥିଲେ। ମାତ୍ର ପରିଣତ ବୟସରେ ସେମାନେ ସାହା ନହେବାରୁ ବାଞ୍ଝାନିଧି ମାଗିଯାଚି ଚଳୁଥିଲେ। ତେବେ ଶନିବାରଠାରୁ ବୃଦ୍ଧ ବାଞ୍ଝାନିଧି ଗାଁ ପାଣିନାଳରେ ପଡ଼ି ଆଉ ଉଠିପାରି ନଥିଲେ। ଖବର ପାଇ ସେହି ଗାଁରେ ରହୁଥିବା ତାଙ୍କ ସାନଝିଅ ବାସନ୍ତୀ ରାଓ (୩୫) ପୁଅ ଆଶିଷ (୧୮)କୁ ସାଙ୍ଗରେ ଧରି ଆଜି ସକାଳେ ତାଙ୍କୁ ପାଣିନାଳରୁ ଉଠାଇ ରାସ୍ତାକଡ଼ରେ ବସାଇଥିଲେ। ତେବେ ବାଞ୍ଝାନିଧିଙ୍କୁ ତାଙ୍କ ଝିଅ ଉଦ୍ଧାର କରିଥିବା ଶୁଣି ଦୁଇପୁଅ ରାଜେନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ଦୁହେଁ ଗାଁଦାଣ୍ଡରେ ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ମା’-ପୁଅଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଲହୁଲୁହାଣ କରିଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସାଉଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବାସନ୍ତୀ ତାଙ୍କ ଦୁଇଭାଇ ରାଜେନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରକାଶଥାଉକି, କିଛିଦିନ ତଳେ ବାଞ୍ଝାନିଧି ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବାବେଳେ ଜଣେ ସହୃଦୟ ବ୍ୟକ୍ତିଙ୍କ ସୂଚନାକ୍ରମେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ, ତାଙ୍କ ୩ ଝିଅ ଡାକ୍ତରଖାନାରେ ପହଞ୍ଚି ଭାଇମାନେ ବାପାଙ୍କୁ ହତାଦର କରିବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ।