ଭୂମିକମ୍ପରେ ଥରିଲା ରାୟଗଡ଼ା , ରିକ୍ଟର ସ୍କେଲରେ ତୀବ୍ରତା ୩.୬

ରାୟଗଡ଼ା/କାଶୀପୁର : ଭୂମିକମ୍ପରେ ଥରିଛି ରାୟଗଡ଼ା । ଆଜି ଅପରାହଣରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । କାଶୀପୁର ବ୍ଲକରେ ସର୍ବାଧିକ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬  ରହିଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ସ୍ବଳ୍ପ ସମୟ ପାଇଁ ଅନୁଭୂତ ହୋଇଥିବା ଭୂକମ୍ପ ପାଇଁ ଲୋକେ ଭୟଭୀତ ହେବା ସହ ଘରୁ ବାହାରକୁ ଚାଲି ଆସିଥିଲେ।

ଅପରାହଣ୍ ୪ଟା ୪୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। କାଶୀପୁର ବ୍ଲକର କାଶୀପୁର ସଦର ମହକୁମା ସମେତ ଖୁରିଗାଁ, ଗତିଗୁଡ଼ା, କୁପାଖାଲ, ମାଇକଞ୍ଚ, ଡଙ୍ଗାସିଲ୍, ତଳଝିରି, ସୁଙ୍ଗେର, ରେଙ୍ଗା, ଗୋରଖପୁର, ମାଣ୍ଡିବିଶି, ସିରିପାଇ, ରୁଚିବାଲି ଅଞ୍ଚଳର ଲୋକ ଭୂକମ୍ପ ଅନୁଭବ କରିଛନ୍ତି। ଭୂକିମ୍ପ ପ୍ରଭାବରେ ଗତିଗୁଡ଼ା ଗ୍ରାମର ୫ଟି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଗ୍ରାମର ଧର୍ନୁଜୟ ନାଇକ, ଭାବେନ୍ଦ୍ର ସାହୁ, କ୍ଷୀରମଣି ଝୋଡ଼ିଆ, କୁମ୍ଭାରସିଲା ଗାଁର ବଟକୃଷ୍ଣ ନାଏକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଭୂକମ୍ପରେ ଘର ଥରିବା ପରେ ଏହି ସବୁ ଅଞ୍ଚଳର ଲୋକ ଘର ବାହାରକୁ ପଳାଇ ଆସିଥିଲେ। ଉତ୍କଳ ଆଲୁମିନା ଖଣି ଅଞ୍ଚଳରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି। ସେହିପରି ଭୂକମ୍ପର ପ୍ରଭାବ ପଡୋଶୀ ବ୍ଲକ୍ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା, ଅମ୍ବାଦଳା ସମେତ ରାୟଗଡ଼ା ସହରରେ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର