ନୂଆଦିଲ୍ଲୀ : ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆଜି ଇଡି ପକ୍ଷରୁ ନିରବ ମୋଦୀର ୩୨୯.୬୬ କୋଟିର ସଂପତ୍ତିକୁ ଜବତ କରାଯାଇଛି । ପଳାତକ ଆର୍ଥିକ ଅପରାଧୀ ଆଇନ ୨୦୧୮ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଜବତ ହୋଇଥିବା ସଂପତ୍ତି ମଧ୍ୟରେ ରହିଛି ମୁମ୍ବାଇର ସମୁଦ୍ର ମହଲ ଆପାର୍ଟମେଣ୍ଟରେ ଥିବା ୪ଟି ଫ୍ଲାଟ, ଆଲିବାଗରେ ଥିବା ଫାର୍ମହାଉସ ଓ ଜମି, ଜୟସେଲମେରରେ ଥିବା ଫାର୍ମହାଉସ, ଲଣ୍ଡନରେ ଥିବା ଫ୍ଲାଟ ଅନ୍ୟତମ । ଏଗୁଡ଼ିକର ଆନୁମାନିକ ମୂଲ୍ୟ ୩୨୯.୬୬ କୋଟି ଟଙ୍କା ହେବ ।
ପଳାତକ ଆର୍ଥିକ ଅପରାଧୀ ଆଇନ ୨୦୧୮ ଆଇନ ଅଧିନରେ ନିରବ ମୋଦୀର ସଂପତ୍ତି ଜବତ କରିବାକୁ ଗତ ଜୁନ ୮ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଇଡିକୁ ଅନୁମତି ଦେଇଥିଲେ ।
ଏହାର ଦୁଇଦିନ ପରେ ଇଡି ପକ୍ଷରୁ ହଂକଂରୁ ପ୍ରାୟ ୧୩୫୦ କୋଟି ଟଙ୍କାର ୨୩୦୦କେଜି ହୀରା, ମୋତି ଏବଂ ଅଳଙ୍କାର ଜବତ କରିଥିଲା । ଏସବୁ ସଂପତ୍ତି ନିରବ ମୋଦୀ ଓ ମେହୁଲ ଚୋକସୀଙ୍କର ଥିଲା ବୋଲି ଏଡି ପକ୍ଷରୁ କୁହାଯାଇଥିଲା । ମୁମ୍ବାଇର ଏକ ପିଏନବି ଶାଖାରୁ ଜାଲ୍ କାଗଜପତ୍ର ଦେଇ ୧୩ ହଜାର କୋଟି ଟଙ୍କାର ଋଣ ନେଇ ତାହାକୁ ଫାଙ୍କିବା ଅଭିଯୋଗରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଉଭୟ ବ୍ୟବସାୟୀଙ୍କୁ ଇଡି ଯାଞ୍ଚ କରୁଛି ।