ପାର୍ବଣ ପାଇଁ କଟକଣା ଜାରି କଲେ ସରକାର

ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମାଜିକ, ରାଜନୈତିକ ସମାବେଶକୁ ବାରଣ
କେବଳ ଉପନିର୍ବାଚନ ପାଇଁ ବିଧାନସଭା କ୍ଷେତ୍ରରେ ସୀମିତ ରହିବ ସମାବେଶ

ଭୁବନେଶ୍ୱର : କୋଭିଡ ମହାମାରୀ ସଂକ୍ରମଣରୁ ଲୋକଙ୍କୁ ଦୂରରେ ରଖିବା ପାଇଁ ଶାରଦୀୟ ଦୁର୍ଗା ପୂଜାରେ କୌଣସି ପ୍ରକାର ସାମାଜିକ, ରାଜନୈତିକ ସମାବେଶ, କ୍ରୀଡ଼ା, ଆମୋଦ ପ୍ରମୋଦ, ସାଂସ୍କୃତିକ, ଧର୍ମୀୟ କାର୍ଯ୍ୟକ୍ରମ ସମେତ ବହୁ ସଂଖ୍ୟାରେ ସର୍ବସାଧାରଣ ଏକାଠି ହେବାକୁ ବାରଣ କରାଯାଇଛି। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଗତ ୧ ତାରିଖରେ ଜାରି କରିଥିବା ନିର୍ଦ୍ଦେଶନାମାରେ ସଂଶୋଧନ କରି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ତିର୍ତ୍ତୋଲ ଓ ବାଲେଶ୍ବର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ଦୃଷ୍ଟିରୁ ରାଜନୈତିକ ସମାବେଶକୁ ସେହି ନିର୍ବାଚନ ମଣ୍ଡଳୀରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବାହାରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ଜନସାମାଗମ ହୋଇପାରିବ ନାହିଁ। ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାମାଜିକ ଦୂରତା ରକ୍ଷା ନିୟମ ଅନୁପାଳନ ପୂର୍ବକ ରାଜନୈତିକ ସମାବେଶ ପାଇଁ କଟକଣା କୋହଳ କରାଯାଇଛି। ଏଥିପାଇଁ ବି କେତୋଟି ସର୍ତ୍ତ ରଖାଯାଇଛି। ଯଦି ଆବଦ୍ଧ କୋଠରୀ କିମ୍ବା ସ୍ଥାନରେ ସମାବେଶ କରିବାକୁ ପଡ଼େ ତାହେଲେ ହଲ୍‌ କ୍ଷମତାର ଅଧା ଲୋକଙ୍କୁ ନେଇ ସମାବେଶ କରାଯାଇପାରିବ। ଏହାସହିତ ୨୦୦ରୁ ଅଧିକ ଲୋକଙ୍କୁ ସମାବେଶ କରିବା ପାଇଁ ଅନୁମତି ଦିଆଯିବନି। ସମାବେଶରେ ଏକାଠି ହେବାକୁ ଥିବା ସମସ୍ତ ବ୍ୟକ୍ତ ମୁହଁରେ ମାସ୍କ୍‌ ପରିଧାନ କରିବେ। ହଲ୍‌ ଭିତରକୁ ଯିବା ପୂର୍ବରୁ ସମସ୍ତ ବ୍ୟକ୍ତିଙ୍କ ଥର୍ମାଲ୍‌ ସ୍କାନିଂ କରାଯିବ। ଏହାସିହତ ହାତ ଧୋଇବା ଓ ସାନିଟାଇଜ୍‌ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବ।

ସେହିପରି ଯଦି ଖୋଲାସ୍ଥାନରେ ରାଜନୈତିକ ସମାବେଶର ଆୟୋଜନ କରାଯାଏ, ତାହେଲେ ପଡ଼ିଆର କ୍ଷମତାକୁ ଦେଖି ଜିଲ୍ଲା ପ୍ରଶାସନ ଆବଶ୍ୟକ ନିର୍ଦ୍ଦେଶ ଓ ଅନୁମତି ପ୍ରଦାନ କରିବେ। କୌଣସି ବି ପରିସ୍ଥିତିରେ କୋଭିଡ୍‌ ନିୟମର ଉଲଂଘନ ହେବ ନାହିଁ। ସମାବେଶସ୍ଥଳରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଲଗାଇବା ସହ ଥର୍ମାଲ ସ୍କାନିଂ, ସାନିଟାଇଜ ଓ ହାତଧୂଆ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ମହାମାରୀ ଆଇନ ଓ ନିୟମ ଯେପରି କଡ଼ାକଡ଼ି ଅନୁପାଳନ ହେବ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାପାଳ ସୁନିଶ୍ଚିତ କରାଇବେ।

ସମ୍ବନ୍ଧିତ ଖବର