ବଙ୍ଗୋପସାଗରରେ ଆସନ୍ତା କାଲିଠାରୁ ଲଘୁଚାପ, ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ : ଆଇଏମଡି

ଭୁବନେଶ୍ବର : ବଙ୍ଗୋପସାଗରରେ ଆଉ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର-ଆଣ୍ଡାମାନ ସାଗର ଉପରେ ରହିଛି । ଏହା ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ମଧ୍ୟାହ୍ଣ ବୁଲେଟିନରେ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଆସନ୍ତା କାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ ଓ ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳ ବର୍ଷା ହେବ । କିନ୍ତୁ ଓଡ଼ିଶା ଉପରେ ଏହାର ସେପରି କୌଣସି ପ୍ରଭାବ ପଡ଼ିବ ନାହିଁ । ଫଳରେ ଆଗାମୀ କିଛି ଦିନ ପାଇଁ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଖରାଟିଆ ପାଗ ଜାରି ରହିବ । ତେବେ ଆସନ୍ତା ୧ ଓ ୨ ତାରିଖ ବେଳକୁ ଉତ୍ତର-ଉପକୂଳ ଓଡ଼ିଶା ଓ ମୟୁରଭଞ୍ଜରେ ସାମାନ୍ୟ ବର୍ଷା ହୋଇପାରେ ।

ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନଗୁଡ଼ିକରେ ରାଜ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ହେବ ନାହି । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ ।

ସମ୍ବନ୍ଧିତ ଖବର