ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ନିଆଁ ଆଜି ରାଜଧାନୀରେ ଦେଖିବାକୁ ମିଳିଛି। ନୟାଗଡ଼ ପୁଲିସ ଓ ଜିଲ୍ଲା ପ୍ରଶାସନଠାରୁ ନ୍ୟାୟ ନପାଇ ପ୍ରତାରିତ ହୋଇଥିବା ପରୀର ବାପା- ମା’ ଆଜି ବିଧାନସଭାରେ ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। କଡ଼ା ସୁରକ୍ଷା ବଳୟକୁ ଅତିକ୍ରମ କରି ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନି ସାହୁ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛି। ଘଟଣାସ୍ଥଳରୁ ପୁଲିସ ସ୍ବାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହ ବୁଝାଶୁଝା କରିଛି। ୫ ବର୍ଷୀୟା ଶିଶୁ ପରୀ ହତ୍ୟା ପଛରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଲୋକଙ୍କ ହାତ ରହିଛି ବୋଲି ମା’ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା। ରବୀନ୍ଦ୍ର ମଣ୍ଡପ ଦିଗରୁ ରାସ୍ତାର ଡାହାଣ ପାର୍ଶ୍ବରେ ମୃତା ପରୀର ବାପା ଅଶୋକ ଓ ମା’ ସୌଦାମିନୀ ଚାଲି ଚାଲି ଆସିଲେ। ବିଧାନସଭା ମୁଖ୍ୟ ଫାଟକ ସାମ୍ନାରେ ପହଞ୍ଚିବା ପରେ ଉଭୟ ହାତରେ ଧରିଥିବା କିରାସିନି ବୋତାଲ ଖୋଲି ନିଜ ଦେହରେ ଢାଳିଥିଲେ। ତେବେ ଫାଟକ ସମ୍ମୁଖରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀମାନେ ଏହା ଦେଖି ପାରିଥିଲେ। ସୌଦାମିନୀ ଦିଆସିଲି ଜଳେଇବା ପୂର୍ବରୁ ପୁଲିସ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ। ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ପୁଲିସ କର୍ମଚାରୀମାନେ ସୌଦାମିନୀଙ୍କୁ ଉଦ୍ଧାର କରି ସାରିଥିଲେ। ଏତିକିବେଳେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କୁ ଆତ୍ମାହୁତିର କାରଣ ବାବଦରେ ପଚାରିଥିଲେ। କାନ୍ଦି କାନ୍ଦି ସେ ତାଙ୍କୁ ଶିଶୁକନ୍ୟା ପରୀର ହତ୍ୟାକାଣ୍ଡକୁ କିଭଳି ପୁଲିସ ଅଣଦେଖା କରିଛି ଓ ଅଭିଯୁକ୍ତଙ୍କ ନାଁ କହିବା ପରେ ବି ନୟାଗଡ଼ ପୁଲିସ ସେମାନଙ୍କୁ ଗିରଫ କରୁନାହିଁ ବୋଲି କହିଥିଲେ। ମନ୍ତ୍ରୀ ଅରୁଣ ସାହୁଙ୍କ ଲୋକ ହୋଇଥିବାରୁ ପୁଲିସ ଚାପ ବଶବର୍ତ୍ତୀ ହୋଇ ପରୀ ହତ୍ୟାକାରୀମାନଙ୍କୁ ସୁରକ୍ଷା ଦେଉଛି ବୋଲି ସେ କହିଥିଲେ। ତେଣୁ ନ୍ୟାୟ ପାଇଁ ସେମାନେ ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବାକୁ ନିଷ୍ପତ୍ତି ନେଇ ଆଜି ଏହି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି।
ତେବେ ବିଧାନସଭା ଚାଲିବାବେଳେ ଏଭଳି ଅଘଟଣ ବାରମ୍ବାର ଘଟୁଥିବାରୁ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳ ଭିତରକୁ ଲୋକେ କିରାସିନି ଧରି ପଶି ଆସିପାରୁଛନ୍ତି। ଗତ ମୌସୁମୀ ଅଧିବେଶନ ବେଳେ ଅନୁରୂପ ଅଘଟଣ ଘଟିଥିଲା। ଦଶପଲ୍ଲାର ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରି ଲଗାଇ ହତ୍ୟା ଧମକ ଦେଇଥିଲେ। ସୌଭାଗ୍ୟକୁ ପୁଲିସ ଉକ୍ତ ହାଇଡ୍ରାମାକୁ ବିଫଳ କରିବାରେ ସକ୍ଷମ ହୋଇଥିଲା। ତେବେ ପ୍ରସଙ୍ଗ ହେଉଛି, ଅଳ୍ପକେ ଅଘଟଣ ବଡ଼ଧରଣ ରୂପ ନେଉପାରୁନଥିଲେ ମଧ୍ୟ ବିଧାନସଭା ସମ୍ମୁଖରେ ଅଘଟଣ ଘଟୁଛି। ଅଥଚ ପୁଲିସ ସିସିଟିଭି କ୍ୟାମେରା ଲଗାଇ କେଉଁ ଦିଗରୁ କଡ଼ା ନଜର ରଖୁଛି ବୋଲି ପ୍ରଶ୍ନ ଉଠିଲାଣି।