ରାଉରକେଲା: ଅଶାନ୍ତ ହୋଇ ପଡିଛି ରାଉରକେଲା ସହର। ଲୁଟେରାମାନେ ନିର୍ଭୟରେ ଓ ଅବାଧରେ ବୁଲୁଛନ୍ତି ରାସ୍ତାଘାଟରେ। ଲୁଟୁଛନ୍ତି ଓ ଗୁଳି ଫୁଟାଇ ହତ୍ୟା କରୁଛନ୍ତି ଲୋକଙ୍କୁ। ତା’ପରେ ଖସି ମଧ୍ୟ ଯାଉଛନ୍ତି। ପୁଲିସ ସେମାନଙ୍କର ଟେର୍ ବି ପାଉନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ରାତି ପ୍ରାୟ ୧୦ଟାରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଉରକେଲା ସରକାରୀ ଡାକ୍ତରଖାନା ((ଆରଜିଏଚ୍)) ଓଭରବ୍ରିଜ୍ ଉପରେ ଜଣେ ସୁନା ଦୋକାନୀ ସରୋଜ କୁମାର ସାହୁଙ୍କୁ ଗୁଳି ମାଡ କରି ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ଡାକ୍ତରଖାନାରେ ସରୋଜଙ୍କୁ ମୃତ ଘୋଷଣା କରା ଯାଇଛି। ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡି ନାହିଁ।
ଦୁର୍ବୃତ୍ତଙ୍କ ଦୁଇ ରାଉଣ୍ଡ ଗୁଳି ସରୋଜଙ୍କ ଦେହରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆରଜିଏଚ୍ ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଘୁନାଥପାଲୀ ଓ ଉଦିତନଗର ପୁଲିସ ଏବଂ ପରେ ରାଉରକେଲା ଏସ୍ପି କେ ଶିବା ସୁବ୍ରମଣୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି। ସରୋଜଙ୍କର ଏସ୍ଟିଆଇ ଛକ ଗଣେଶ ମାର୍କେଟରେ ‘ବନଦୁର୍ଗା’ ନାମରେ ସୁନା ଦୋକାନ ରହିଛି।
ପ୍ରତିଦିନ ପରି ଆଜି ରାତି ପ୍ରାୟ ୧୦ଟାରେ ସରୋଜ ଦୋକାନ ବନ୍ଦ କରି ମୋଟରବାଇକରେ ଘରକୁ ଫେରୁଥିଲେ। ଆରଜିଏଚ୍ ନିକଟ ଓଭରବ୍ରିଜ ଚଢ଼ିବା ମାତ୍ରେ ତାଙ୍କୁ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ମୋଟରବାଇକରେ ଥାଇ ତିନିରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ମୁଣ୍ଡ ଓ ପେଟରେ ବାଜିବାରୁ ସରୋଜ ମୋଟରବାଇକ୍ ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ। ସରୋଜ ବେହୋସ ହୋଇ ପଡିଯିବା ପରେ ଦୁଇ ବୁର୍ବୃତ୍ତ ଟଙ୍କା ବ୍ୟାଗ୍ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୂଚନାଯୋଗ୍ୟ, ଗତ ୪ ଦିନ ତଳେ ବେଦବ୍ୟାସ ସିଂହଟୋଲା ନିକଟରେ ସମାନଧରଣର ଗୁଳିକାଣ୍ଡ ଘଟିଥିଲା। ଲୁଟେରାମାନେ ସୁନା ଦୋକାନୀଙ୍କୁ ଗୁଳି ମାଡ କରିଥିଲେ। ତେବେ ଗୁଳି ତାଙ୍କ ଦେହରେ ନ ବାଜି ମୋଟରବାଇକ୍ ପଛରେ ବସିଥିବା ତାଙ୍କ ମା’ଙ୍କ ଦେହରେ ବାଜିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଇଜିଏଚ୍ ପରେ ସମ୍ବଲପୁର ବୁର୍ଲାକୁ ପଠାଯାଇଥିଲା। ସହରରେ ପୁଣି ଗୁଳିକାଣ୍ଡ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।