୧୪୧ ବ୍ରିଟେନ୍ ଫେରାନ୍ତଙ୍କ ନମୁନା ସଂଗ୍ରହ
ଭୁବନେଶ୍ବର : ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ରାଜ୍ୟରେ ତନାଘନା ଜାରି ରହିଛି। ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ଆର୍ଟି-ପିସିଆର ନମୁନା ସଂଗ୍ରହ ପାଇଁ ଉଦ୍ୟମ ଜାରି ରହିଛି। ଏହା ଭିତରେ ୧୪୧ଜଣ ବ୍ରିଟେନ୍ ଫେରାନ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ନମୁନା ସଂଗ୍ରହ ହୋଇସାରିଲାଣି। ଅନ୍ୟ ୪୦ଜଣଙ୍କୁ ତୁରନ୍ତ ଚିହ୍ନଟ କରିବା ଲାଗି ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନଭେମ୍ବର ୩୦ରୁ ଚଳିତମାସ ୨୧ତାରିଖ ଭିତରେ ୧୮୮ଜଣ ବ୍ରିଟେନ୍ରୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ନିକଟରେ ତାଲିକା ପହଞ୍ଚିଥିଲା। ତହିଁରୁ ୭ଜଣଙ୍କ ତଥ୍ୟ ଭୁଲ୍ ରହିଥିଲା। ପରବର୍ତୀ ଯାଞ୍ଚ ସମୟରେ ସମୁଦାୟ ୧୮୧ଜଣ ଫେରନ୍ତାଙ୍କୁ ଚିହ୍ନଟ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏବେ ସୁଦ୍ଧା ୧୪୧ ଫେରନ୍ତାଙ୍କ ସମେତ ସେମାନଙ୍କ ସଂପର୍କୀୟ ଓ ସଂସ୍ପର୍ଶରେ ଆସିଥିବା ୪୪ଜଣଙ୍କ ନମୁନା ସଂଗ୍ରହ କରାଯାଇଛି। ସମୁଦାୟ ନମୁନା ସଂଗ୍ରହ ୧୮୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ବ୍ରିଟେନ୍ରୁ ଆସିଥିବା ଫେରନ୍ତାଙ୍କ ମଧ୍ୟରେ ସର୍ବାଧିକ ଭୁବନେଶ୍ବର ରହିଛନ୍ତି। କାହାର ନମ୍ବର ଲାଗୁ ନାହିଁ ତ ଆଉ କିଏ ଫୋନ୍ ଉଠାଉ ନାହାନ୍ତି। ସେମାନଙ୍କୁ ଠାବ କରିବା ଲାଗି ବିଏମ୍ସି ପକ୍ଷରୁ ୬ଟି ଆର୍ଆରଟି ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୬ଜଣ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଭୁବନେଶ୍ବରରୁ ୨ଜଣ ବ୍ରିଟେନ୍ ଫେରନ୍ତା ଓ ଜଣେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ରହିଥିବା ବେଳେ ଜଗତସିଂହପୁରରେ ଜଣେ ବ୍ରିଟେନ୍ ଫେରନ୍ତା ଓ ୨ଜଣ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ଟି ନମୁନା ଜିନ୍ ଅନୁଶୀଳନ ପାଇଁ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଯାଇଥିବା ବେଳେ ଅନ୍ୟ ୩ଟି ନମୁନା ଆଇଏଲଏସ୍କୁ ପଠାଯାଇଥିବା ସୂଚନା ମିଳିଛି। ତେବେ ଏହି ୬ଟି ନମୁନାର ଜିନ୍ ଅନୁଶୀଳନ ତଥ୍ୟ ମିଳିନାହିଁ।
ରାଜ୍ୟର ୧୮ଟି ଜିଲ୍ଲାକୁ ବ୍ରିଟେନ୍ ଫେରନ୍ତା ଆସିଛନ୍ତି। କିନ୍ତୁ କେତେକଙ୍କ ଫୋନ ନମ୍ବର ଭୁଲ ରହିଥିବାରୁ ନିଜ ଆଡ଼ୁ ସୂଚନା ଦେବାପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ନିବେଦନ କରିଛନ୍ତି।