ମହିଳାଙ୍କ ମନୋବଳ ଆଗରେ ହାର୍ ମାନିଲା କର୍କଟ : ତିନି ତିନି ଥର ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଫେରିଲେ
ସ୍ବାମୀ ଓ ପୁଅ ଆରପାରିରେ; ୪ବର୍ଷ ହେଲା ଏକୁଟିଆ ଚିକିତ୍ସିତ ହେଉଥିଲେ
କଟକ : ବୟସ ୭୦ ଟପିଲାଣି। ୧୬ବର୍ଷ ତଳୁ ସ୍ବାମୀ ଚାଲିଗଲେଣି ଆରପାରିକୁ। ଏକମାତ୍ର ସାହା ଭରସା ଥିବା ପୁଅ ବି ଗତବର୍ଷ ଆଖି ବୁଜିଦେଲା। ତାରି ଭିତରେ କର୍କଟ ରୋଗ। ଥରେ ନୁହେଁ ତିନି ତିନିଥର ଅସ୍ତ୍ରୋପଚାର ହେଲା। ପରିବାରର ଏତେ ଝଡ଼ଝଞ୍ଜା ଭିତରେ ବାରମ୍ବାର କର୍କଟ ରୋଗର ଅସ୍ତ୍ରୋପଚାର। ହେଲେ ନିଜର ଦୃଢ ମନୋବଳ, ଇଚ୍ଛାଶକ୍ତି ଆଗରେ ହାର ମାନିଛି କର୍କଟ। ଦୀର୍ଘ ୪ବର୍ଷର ସଂଘର୍ଷ ପରେ ଶେଷରେ ନୂଆବର୍ଷର ନୂଆ ସକାଳରେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନୟାଗଡ଼ ଜିଲ୍ଲା ହରିଦାସପୁରର ପମା ନାହାକ। ‘ କେହି ନଥିଲେ ବି ସ୍ବେଚ୍ଛାସେବୀମାନଙ୍କ ମହନୀୟତା, ଡାକ୍ତର ଓ ଦିଦିମାନଙ୍କ ଆକୁଣ୍ଠ ସହଯୋଗକୁ ମୁଁ ଭୁଲି ପାରିବିନି, ସେମାନେ ମୋତେ ନୂଆ ଜୀବନ ହେଇଛନ୍ତି’, ବୋଲି କହିଛନ୍ତି ପମା। ପୂର୍ବରୁ କଥା କହିପାରୁ ନଥିବା ପମା ଏବେ କଥା କହିପାରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ହରିଦାସପୁର ଗ୍ରାମର ପମା ନାହାକ। ୨୦୦୪ରେ ସ୍ବାମୀଙ୍କୁ ହରାଇଥିଲେ। ଏକମାତ୍ର ପୁଅ ବିଭୂତି ଥିଲା ତାଙ୍କର ସବୁକିଛି। କିନ୍ତୁ ୨୦୧୬ ଯେପରି ତାଙ୍କର ସବୁକିଛି ଛାରଖାର କରିଦେଲା। ପିଠିରେ ଆବୁ ଭଳି ହେବା ଫଳରେ ନୟାଗଡରୁ ଡାକ୍ତର କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ପଠାଇଦେଲେ। ସେଠାରେ ଜଣାପଡିଲା ଯେ, ପମା କର୍କଟ ରୋଗରେ ଆକ୍ରାନ୍ତ। ତାଙ୍କର ହେବ ଅସ୍ତ୍ରୋପଚାର। ଏଭଳି ଏକ କଠିନ ସମୟରେ ନ୍ୟୁରୋ ସମସ୍ୟା ଯୋଗୁଁ ପୁଅ ବିଭୂତିର ହାତଗୋଡ଼ ବଙ୍କା ହୋଇଗଲା। ପମା ଆଚାର୍ଯ୍ୟ ହରିହରରେ ଥିବାବେଳେ ପୁଅ ଚିକିତ୍ସା ପାଇଁ ଏସ୍ସିବି ନ୍ୟୁରୋସର୍ଜରି ବିଭାଗରେ ଭର୍ତ୍ତି ହେଲା। ଅସ୍ତ୍ରୋପଚାର କଲେ ମଧ୍ୟ ପୁଅର କୌଣସି ସୁଫଳ ମିଳିବ ନାହିଁ ବୋଲି ଡାକ୍ତର କହିବା ପରେ କେବଳ ଔଷଧପତ୍ରରେ ଚିକିତ୍ସା କରାଗଲା। ହେଲେ, ଗତବର୍ଷ ପୁଅ ଚାଲିଗଲା ଆରପାରିକୁ। ଏପଟେ ପମାଙ୍କ ଚିକିତ୍ସା ଜାରି ରହିଥିଲା। କର୍କଟ ରୋଗ ପାଇଁ ପ୍ରଥମେ ୨୦୧୬ରେ ପିଠିରେ ଅସ୍ତ୍ରୋପଚାର କରାଯାଇଥିବାବେଳେ ୨୦୧୮ରେ ପାଟିରେ କର୍କଟ ରୋଗ ହେବା କାରଣରୁ ପୁଣି ଅସ୍ତ୍ରୋପଚାର କରାଗଲା। ଏବେ ପୁଣି ୨ମାସ ତଳେ ହାତରେ ସମସ୍ୟା ହେବାରୁ ଆଚାର୍ଯ୍ୟ ହରିହରରେ ଭର୍ତ୍ତି ହୋଇଥିଲେ। ଅସହାୟ ପମାଙ୍କୁ ନୟାଗଡ଼ରେ ସ୍ବେଚ୍ଛାସେବୀ ପ୍ରଶାନ୍ତ ସାହୁ ତାଙ୍କର ସମସ୍ତ କଥା ବୁଝାସୁଝା କରୁଥିବାବେଳେ ଆଚାର୍ଯ୍ୟ ହରିହରରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ତାଙ୍କୁ ସେଥିରେ ସହଯୋଗ କରିଥିଲେ। ପ୍ରତିଦିନ ମେଡିକାଲରେ ପହଞ୍ଚି ତାଙ୍କର ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ଏବେ ପୁଣି ହାତରେ ଅସ୍ତ୍ରୋପଚାର ପରେ ସୁସ୍ଥ ହେଲେ ପମା। କଥା କହିପାରୁ ନଥିବା ପମା ଏବେ କଥା କହୁଛନ୍ତି। ଡାକ୍ତର ପି.କେ. ଦାସ, ଡାକ୍ତର ଭରତ ଭୂଷଣ ଶତପଥୀ ଓ ତାଙ୍କ ସହଯୋଗୀମାନେ ପମାଙ୍କ ଚିକିତ୍ସା କରୁଥିବାବେଳେ ସ୍ବେଚ୍ଛାସେବୀ ଅଭିମନ୍ୟୁଙ୍କୁ ଶିଶିର ସାହୁ ଓ ସଦାଶିବ ପରିଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।