ଅକ୍ଟୋବର ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍, ପୁରୀରେ ରଣଜୀ ଭିତ୍ତିଭୂମି ପ୍ରସ୍ତୁତି
ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ କ୍ରୀଡ଼ାମନ୍ତ୍ରୀ
ପୁରୀ: ରଣ୍ଜୀ ଟ୍ରଫି ମ୍ୟାଚ୍ ପାଇଁ ଚାଲିଛି ଭିତ୍ତିଭୂମି ପ୍ରସ୍ତୁତି। ଏଥିପାଇଁ ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପୁରୀ ଜିଲ୍ଲା କ୍ରୀଡ଼ା ଛାତ୍ରାବାସର ବି ନବକଳେବର ହେଉଛି। ଏଠାରେ ସର୍ବଭାରତୀୟ ସ୍ତରର ବହୁମୁଖୀ ଇନ୍ଡୋର ହଲ୍ କାମ ଆରମ୍ଭ ହୋଇଛି। ଆଜି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଶ୍ରୀଜଗନ୍ନାଥ ଷ୍ଟାଡିୟମ୍, ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଠିକା ସଂସ୍ଥା ସହ ନିର୍ମାଣ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ଅକ୍ଟୋବର ମାସ ଭିତରେ ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀଙ୍କ ସହ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି। ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ବାବଦକୁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ କେନ୍ଦ୍ର ସରକାରଙ୍କ ଅବଢ଼ା ଯୋଜନାରେ ୩୬ କୋଟି ଓ ବାକି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଖର୍ଚ୍ଚ କରୁଛି। ଏହି ଅନୁଦାନରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ରେ ଏକ ଉନ୍ନତମାନର କ୍ରିକେଟ୍ ଷ୍ଟାଡିୟମ ତିଆରି କରାଯାଉଛି। ଯେଉଁଠି ରଣ୍ଜୀ ଖେଳିବାକୁ ଯୋଜନା କରାଯାଉଛି। ସେହିଭଳି ଇନ୍ଡୋର ହଲ୍, ସୁଇମିଂ ପୁଲ ସହ ଖୋଖୋ, ଭଲିବଲ୍, କବାଡ଼ି, ବାସ୍କେଟ ବଲ ଖେଳ ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବହୁମୁଖୀ ଜିମ୍ ବି ନିର୍ମାଣ କରାଯାଉଛି। ପ୍ରଳୟଙ୍କରୀ ବାତ୍ୟା ଫନିରେ ଜିଲ୍ଲା କ୍ରୀଡ଼ା ଛାତ୍ରାବାସର ଇନ୍ଡୋର ହଲ ଭାଙ୍ଗି ପଡ଼ିବା ପରେ ଏଥିପାଇଁ ନୂଆ ଇନ୍ଡୋର ହଲ୍ ତିଆରି କରାଯାଉଛି।
ନିର୍ମାଣ ଚାଲିଥିବା ଏହି ବହୁମୁଖୀ ଇନ୍ଡୋର ହଲ୍ ସର୍ବଭାରତୀୟ ସ୍ତରର ହେବ। ଯେଉଁଠି ଅନେକ ସୁବିଧା ଉପଲବ୍ଧ ହେବ। ଏହାବାଦ୍ ୱାଲ୍ ପେଣ୍ଟିଂ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ କହିଛନ୍ତି। ଏ ବାବଦକୁ ୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଜି ଶ୍ରୀ ବେହେରା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର (ଇନ୍ଫ୍ରାଷ୍ଟକ୍ଚର) ଉପ ନିର୍ଦ୍ଦେଶକ ରଂଜିତ କୁମାର ପରିଡ଼ା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ସହ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଥିଲେ। ନିର୍ମାଣ କାର୍ଯ୍ୟ ସଂପର୍କରେ ଟିକିନିଖି ଦେଖିବା ପରେ ଠିକା ସଂସ୍ଥା ସହ ଆଲୋଚନା କରି ଫେରି ଯାଇଥିଲେ।