ମଣିଷ ଓ ତା’ ମୁଖା
ଅମାତ୍ୟ କୁମାର ପ୍ରଧାନ
ରୋଗରେ କଷ୍ଟ ପାଉଥିବା ଜଣେ ଭଦ୍ର ମହିଳା କହୁଥିଲେ- ‘କାହାରି ଅନିଷ୍ଟ ଚିନ୍ତା କରିନାହିଁ, କାହା ହୃଦୟକୁ କେବେ ବି ଯନ୍ତ୍ରଣା ଦେଇନାହିଁ, କାହାର କ୍ଷତି କରିନାହିଁ; ତଥାପି କାହିଁକି ଭଗବାନ ଏତେ କଷ୍ଟ ଦେଉଛନ୍ତି!’ ଏମିତି କଥା ଆମେ ସମସ୍ତେ ବିଭିନ୍ନ ପ୍ରସଙ୍ଗରେ କହିଥାଆନ୍ତି। ଏହାର ଏକ କାରଣ ଏହା ହୋଇପାରେ ଯେ ଆମେ ସମସ୍ତେ ନିଜ ସମ୍ପର୍କରେ ନିଜେ ତିଆରି କରିଥିବା ଭଲ ମଣିଷର ଧାରଣା। ଜଣେ ମଣିଷ ଯଦି ନିଜେ ଖରାପ ବୋଲି ଅନ୍ତରରୁ ହୃଦ୍ବୋଧ କରେ, ତା’ହେଲେ ସେ ଆଉ ଖରାପ ହୋଇ ରହି ପାରିବ ନାହିଁ। କିନ୍ତୁ କଥା ହେଲା ଆମେମାନେ ନିଜକୁ ଠିକଣା ଭାବେ ଦେଖି ପାରୁନା। ଆମର ଦୋଷ ତ୍ରୁଟି ବାବଦରେ ସଚେତନ ହୋଇପାରୁନା। ଅନ୍ୟର ଯେଉଁ ଦୋଷ ଆମେ ଦେଖିଥାଉ, ତା’ର ଉପସ୍ଥିତି ଆମ ଠାରେ ଥିଲେ ବି ଆମେ ତାହା ଦେଖି ପାରୁନା।
Sambad is now on WhatsApp
Join and get latest news updates delivered to you via WhatsApp
ଭର୍ଜିନିଆ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ମନୋବୈଜ୍ଞାନିକ ପ୍ରଫେସର ଟିମୋଥି ଡି. ୱେଲସନ ତାଙ୍କର ପୁସ୍ତକ ‘stranger to ourselves’ ବା ‘ନିଜ ଲାଗି ନିଜେ ଅପରିଚିତ’ରେ ଏ ସମ୍ପର୍କରେ ଏକ ଗବେଷଣା ସମ୍ବଳିତ ତଥ୍ୟ ପ୍ରଦାନ କରିଛନ୍ତି। ସେ ଯାହା ଲେଖିଛନ୍ତି ତାହାର ମର୍ମ ହେଲା- ମଣିଷ ନିଜ ସମ୍ପର୍କରେ ପ୍ରତିପୋଷଣ କରିଥିବା ଧାରଣା ଓ ତା’ର ପ୍ରକୃତ ସ୍ବଭାବ ବା ଚରିତ୍ର ଭିତରେ ପ୍ରଭେଦ ପାହାଡ଼ ସଦୃଶ। ଏହି ଗବେଷଣା ପାଇଁ ୱେଲସନ ତାଙ୍କ ମହାବିଦ୍ୟାଳୟର କିଛି ଅଧ୍ୟାପକଙ୍କୁ ନିଜ ନିଜ ସ୍ୱଭାବ ସମ୍ପର୍କରେ ଲେଖିବା ପାଇଁ କହିଲେ ଓ ଉକ୍ତ ଅଧ୍ୟାପକମାନଙ୍କ ସ୍ୱଭାବ ସମ୍ପର୍କରେ ତାଙ୍କ ପାଖ ପଡ଼ୋଶୀ ଲୋକଙ୍କୁ (ଯିଏ ସେମାନଙ୍କୁ ଭଲ ଭାବରେ ଜାଣିଛନ୍ତି) ମଧ୍ୟ ଲେଖିବାକୁ କହିଲେ। ଏହି କାମରେ ସଂପୃକ୍ତ କେହି ଜାଣି ନ ଥିଲେ ଯେ ଏହା କେଉଁ ଉଦ୍ଦେଶ୍ୟରେ କରାଯାଉଛି। ଏଥିରୁ ସେ ଯେଉଁ ନିଷ୍କର୍ଷରେ ଉପନୀତ ହେଲେ ତାହା ଥିଲା ଏହା ଯେ ମଣିଷ ନିଜକୁ ଅନ୍ୟ ଆଗରେ ବା ସମାଜରେ ଯେଉଁଭଳି ଉପସ୍ଥାପନା କରିଥାଏ ଏବଂ ତା’ର ପ୍ରକୃତ ଚରିତ୍ର ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଥାଏ। ଦ୍ବିତୀୟ କଥା ହେଲା, ଜଣେ ନିଜକୁ ନିଜେ ଯେତେ ଜାଣେ, ଅନ୍ୟମାନେ ଉକ୍ତ ବ୍ୟକ୍ତି ସମ୍ପର୍କରେ ତା’ଠାରୁ ଅଧିକ ଓ ସଠିକ ଭାବେ ଜାଣିଥାନ୍ତି। ସେଥିପାଇଁ ନିଜକୁ ଠିକ ଭାବେ ଜାଣିବା ଲାଗି ମହାବୀର କହିଥିବା ଭଳି ସାକ୍ଷୀ ଭାବର ଆବଶ୍ୟକତା ରହିଛି। ସାକ୍ଷୀ ଭାବରେ କୌଣସି ଜିନିଷକୁ ଦେଖିବାର ଅର୍ଥ ହେଉଛି ସଂପୂର୍ଣ୍ଣ ନିରାସକ୍ତ ଭାବେ ଦେଖିବା; ଠିକ୍ ଏକ କ୍ୟାମେରାର ଲେନ୍ସ ହୁଏ’ତ ପୃଥିବୀକୁ ଯେମିତି ଦେଖିଥାଏ। ସେହି ଭାବରେ ଜଣେ ମଣିଷ ଯଦି ନିଜକୁ ଦେଖେ, ତେବେ ହୁଏ’ତ ନିଜର ଦୋଷ ଦୁର୍ବଳତାକୁ ସେ ଦେଖିପାରିବ। କିନ୍ତୁ କହିବା ବାହୁଲ୍ୟ ଏଭଳି ଅନ୍ତର୍ଦୃଷ୍ଟି ଲାଭ କରିବାକୁ ହେଲେ ସାଧନାର ଆବଶ୍ୟକତା ରହିଛି। ଏହା କିଛି ସହଜ କଥା ନୁହେଁ।
ଆମେ ଯଦି ଉକ୍ତ ଗବେଷଣା ଲବ୍ଧ ଜ୍ଞାନକୁ ଅନୁଶୀଳନ କରିବା ତେବେ ଜାଣିପାରିବା ଯେ ଆମେ ମୁଖ୍ୟତଃ ନିଜକୁ ଭଲ ବୋଲି ଦର୍ଶାଇବାକୁ ଯାଇ ସମାଜ ସମକ୍ଷରେ ଅଭିନୟ କରୁ। ବିବାହ ହେଉ ବା ପ୍ରେମ ହେଉ ବା ଶିକ୍ଷକ-ଛାତ୍ର ସଂପର୍କ ହେଉ ବା ଦପ୍ତରରେ ସହକର୍ମୀ ବା ହାକିମଙ୍କ ସହିତ ଆମର ବ୍ୟବହାର ହେଉ; ସବୁ କିଛି ଆମର ଏଭଳି ଭାବ ଦ୍ବାରା ନିୟନ୍ତ୍ରିତ, ଯହିଁେର ସମସ୍ତେ ନିଜ ନିଜ ବ୍ୟବହାରରେ ପୁଟ ଲଗାଇ ଅପର ଦ୍ବାରା ଗ୍ରହଣୀୟ ହେବା ଲାଗି ତତ୍ପର ରହନ୍ତି। ଏହି ପ୍ରକ୍ରିୟାରେ ଆମେମାନେ ଭଲ ଲୋକ ବୋଲି ଏକ ଧାରଣା ଆମ ମନରେ ଦୃଢ଼ୀଭୂତ ହେବାରେ ଲାଗେ। ସେଥି ଲାଗି ତ ଦୁର୍ନୀତି କରି ବି ଆମେମାନେ ନିଜକୁ ସଚ୍ଚୋଟ ବୋଲି ଦେଖାଇ ହେଉ। ପ୍ରବଞ୍ଚନା କଲେ ବି ତାହା ସ୍ବୀକାର କରୁନା।
ଗଲା ୭ ତାରିଖରେ ଏକ ଖବର ମିଳିଲା ଯେ ହ୍ବାଟ୍ସଆପ୍ ତା’ର ବ୍ୟବହାରକାରୀଙ୍କ ସମସ୍ତ ଡାଟା ଫେସ୍ବୁକ୍କୁ ଦେବା ପାଇଁ ଚୁକ୍ତି କରିଛି। ଏହି ଆଧାରରେ ନୂଆ ହ୍ବାଟ୍ସଆପ୍ ପଲିସି ହେବ ଯେ ଏହାର ବ୍ୟବହାରକାରୀମାନେ ଏଣିକି ସେମାନଙ୍କ ବାର୍ତ୍ତା ବିନିମୟର ଗୋପନୀୟତାକୁ ବଜାୟ ରଖିପାରିବେ ନାହିଁ। ଏହାକୁ ହ୍ବାଟ୍ସଆପ୍ ସଂଗ୍ରହ କରି ରଖିବ। ଯେଉଁ ବ୍ୟବହାରକାରୀ ଏଥିରେ ରାଜି ହେବେ ନାହିଁ ସେମାନେ ହ୍ବାଟ୍ସଆପ୍ ବ୍ୟବହାର କରି ପାରିବେ ନାହିଁ। ଏହା କିନ୍ତୁ ସହଜରେ ଗ୍ରହଣୀୟ ହେବ ନାହିଁ। ଏ ନେଇ ନିଶ୍ଚିତ ବିତର୍କ ଓ ବିବାଦ ହେବ। କାରଣ ମନୁଷ୍ୟର ଗୋପନୀୟତା ତା’ର ଏକାନ୍ତ ବ୍ୟକ୍ତିଗତ ଯାହା ପ୍ରଘଟ ହେବା ଆଦୌ କାହା ଦ୍ବାରା ଗ୍ରହଣୀୟ ହେବ ନାହିଁ। ଏହା କ’ଣ ପ୍ରମାଣ କରୁନାହିଁ ଯେ ଆମେମାନେ ବିଭିନ୍ନ ପ୍ରକାର ଜୀବନ ଜିଉ। ଆମର ବ୍ୟକ୍ତିତ୍ବର ଏକ ଗୋପନୀୟ ବିଭାବ ମଧ୍ୟ ରହିଛି ଯାହା ପ୍ରଘଟ ହେଲେ ହୁଏ’ତ ବିକୃତ ଦିଶିପାରେ। ହୁଏ’ତ ଆମ ଭଲ ମଣିଷ ପଣିଆ ଏହା ଦ୍ବାରା ଆକ୍ରାନ୍ତ ହୋଇପାରେ।
ଏହାର ଅର୍ଥ ହେଲା ଆମେ ଭିତରେ ବିଭିନ୍ନ ବିକୃତିକୁ ଭରଣପୋଷଣ କରି ଚାଲିଥିବା ଯେତେଦିନ ପର୍ଯ୍ୟନ୍ତ ତାହା ଲୋକଲୋଚନ ଆଢୁଆଳରେ ରହିଥିବ। କିନ୍ତୁ ବିଡ଼ମ୍ବନା ହେଲା ଆମର ପ୍ରକୃତ ସ୍ୱଭାବ ଅନେକ ସମୟରେ ଧରା ପଡ଼ିଯାଏ। ଆମର ମୁଖା ଖସିପଡ଼େ। ଲୋକେ ବିସ୍ମିତ ହୋଇ କହନ୍ତି ଲୋକଟା ଏତେ ଖରାପ ଥିଲା, ଆମେ ଜାଣି ପାରି ନ ଥିଲୁ କେମିତି? ତେବେ କୌତୂହଳର କଥା ହେଲା, ସେହି ସମୟରେ ଏମିତି ମନ୍ତବ୍ୟ ଦେଉଥିବା ମଣିଷମାନଙ୍କ ମୁଖାଟି ଖସି ନ ଥାଏ ବୋଲି ସେମାନେ ସେମିତି କହି ପାରନ୍ତି।
ମୋ- ୯୪୩୭୨୧୯୬୧୩
[email protected]