ରେଳବାଇ ପାଇଁ ଆଜି ୧,୧୦,୦୫୫ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଛି। ସେଥିରୁ ୧,୦୭,୧୦୦ କୋଟି ଟଙ୍କା ହେଉଛି ପୁଞ୍ଜି ବ୍ୟୟ। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟଟନ ସ୍ଥଳକୁ ଯୋଡ଼ୁଥିବା ରୁଟ୍ରେ ଅତି ସୁନ୍ଦର ଭାବେ ତିଆରି କରାଯାଇଥିବା ଭିଷ୍ଟାଡୋମ୍ ଏଲ୍ଏଚ୍ବି କୋଚ୍ ବ୍ୟବହାର କରାଯିବ। ମନୁଷ୍ୟକୃତ ଭୁଲ୍ ଯୋଗୁଁ ହେଉଥିବା ଦୁର୍ଘଟଣା ହ୍ରାସ କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ସ୍ବୟଂକ୍ରିୟ ଟ୍ରେନ୍ ଦୁର୍ଘଟଣା ଏଡ଼ାଇବା ବ୍ୟବସ୍ଥା ଲାଗୁ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ବଜେଟ୍ରେ ଜୋର ଦିଆଯାଇଛି। ଡେଡିକେଟେଡ୍ ଫ୍ରେଟ୍ କରିଡର୍ କାର୍ଯ୍ୟକ୍ଷମ ହେବା ପରେ ସେଥିରୁ ଆୟ କରିବା ଲାଗି ରେଳବାଇ ଉଦ୍ୟମ କରିବ। ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା ୨୦୩୦ ପ୍ରସ୍ତୁତ କରାଯାଇଛି। ଭବିଷ୍ୟତ ପାଇଁ ଦରକାର ହେଉଥିବା ରେଳ ଭିତ୍ତଭୂମି ବିକଶିତ କରିବା ଏବଂ ଶିଳ୍ପ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ହେଉଛି ଏହାର ପ୍ରମୁଖ ଉଦ୍ଦେଶ୍ୟ। ୨୦୨୨ ସୁଦ୍ଧା ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଫ୍ରେଟ୍ କରିଡର୍ କାର୍ଯ୍ୟକ୍ଷମ ହେବ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭବିଷ୍ୟତରେ ଖଡ଼ଗପୁରରୁ ବିଜୟୱାଡା ପର୍ଯ୍ୟନ୍ତ ଇଷ୍ଟ୍ କୋଷ୍ଟ୍ କରିଡର୍, ଭୁଷାୱାଲ୍ରୁ ଖଡ଼ଗପୁର ଦେଇ ଡାନକୁଦି ପର୍ଯ୍ୟନ୍ତର ଇଷ୍ଟ୍-ୱେଷ୍ଟ୍ କରିଡର୍ ଓ ଇତାର୍ଶୀରୁ ବିଜୟୱାଡା ପର୍ଯ୍ୟନ୍ତ ନର୍ଥ-ସାଉଥ୍ କରିଡର୍ କାର୍ଯ୍ୟ ମଧ୍ୟ ରେଳବାଇ ହାତକୁ ନେବ। ଚଳିତ ବର୍ଷ ୨୬୩ କିମି ବିଶିଷ୍ଟ ସୋନେଗଡ଼-ଗୋମୋହ ସେକ୍ସନ କାମ ପିପିପି ମୋଡ୍ରେ ଆରମ୍ଭ କରାଯିବ। ଶୀଘ୍ର ଗୋହୋମ-ଡାନ୍କୁଦି ସେକ୍ସନ୍ର ୨୭୪.୩ କିମି କାର୍ଯ୍ୟ ଆରମ୍ଭ କରାଯିବ। ବ୍ରଡ୍ ଗେଜ୍ ରୁଟ୍ର ବିଦ୍ୟୁତ୍କରଣ ୪୬,୦୦୦ ରୁଟ୍ କିଲୋମିଟର୍ରେ ପହଂଚିବ। ୨୦୨୩ ଡିସେମ୍ବର ସୁଦ୍ଧା ଏହି ବିଦ୍ୟୁତ୍କରଣ କାର୍ଯ୍ୟ ଶେଷ ହେବ।
ରେଳବାଇ ତରଫରୁ ଇନ୍ଧନରେ ୨୪,୦୭୫ କୋଟି ଟଙ୍କା, ଭବିଷ୍ୟନିଧି ପାଣ୍ଠି ଓ ପେନ୍ସନ୍ ବାବଦରେ ୫୮୬୫୦ କୋଟି ଟଙ୍କା, ନୂଆ ରେଳପଥ ନିର୍ମାଣରେ ୧୬,୨୪୬ କୋଟି ଟଙ୍କା, ଗେଜ୍ ପରିବର୍ତ୍ତନ ୧୮୦୩ କୋଟି ଟଙ୍କା, ଦୋହରୀକରଣରେ ୩୦୦୦ କୋଟି ଟଙ୍କା, କମ୍ପ୍ୟୁଟରୀକରଣରେ ୫୪୫ କୋଟି ଟଙ୍କା, ରେଳବାଇ ଗବେଷଣାରେ ୮୫ କୋଟି ଟଙ୍କା, ରୋଲିଂ ଷ୍ଟକ୍ରେ ୬୮୧୫ କୋଟି ଟଙ୍କା ଲିଜଡ୍ ଆସେଟ୍ ପେମେଣ୍ଟ୍ରେ ୧୯,୪୫୮ କୋଟି ଟଙ୍କା, ଲେବଲ୍ କ୍ରସିଂରେ ୮୦୦ କୋଟି ଟଙ୍କା, ରୋଡ୍ ଓଭର ଓ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୫୫୦୦ କୋଟି ଟଙ୍କା, ଟ୍ରାକ୍ ନବୀକରଣରେ ୧୦୬୯୫ କୋଟି ଟଙ୍କା, ସିଗ୍ନାଲିଂ ଓ ଟେଲିଯୋଗାଯୋଗରେ ୨୪୪୮ କୋଟି ଟଙ୍କା, ମେସିନ ଓ କାରଖାନାରେ ୬୩୦ କୋଟି ଟଙ୍କା, ୱାର୍କସପ୍ ପାଇଁ ୧୮୫୦ କୋଟି ଟଙ୍କା, ଯାତ୍ରୀ କଲ୍ୟାଣରେ ୨୮୦୦ କୋଟି ଟଙ୍କା, କର୍ମଚାରୀ କଲ୍ୟାଣରେ ୬୫୦ କୋଟି ଟଙ୍କା ଏବଂ ବିଭିନ୍ନ ଯୌଥ ଉଦ୍ୟୋଗ, ଏସ୍ଭିପି, ସରକାରୀ ସଂସ୍ଥାରେ ନିବେଶ ପାଇଁ ୩୭,୨୬୯ କୋଟି ଟଙ୍କା ବ୍ୟୟ କରାଯିବ।