କୁଲଡିହାରେ ପୁଣି ଏକ ହାତୀଛୁଆର ମୃତ୍ୟୁ, ରିଷିଆ ଡ୍ୟାମ୍‌ରୁ ମିଳିଲା ମୃତଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ହୋଇଛି। ତେବେ କେଉଁ ପରିସ୍ଥିତିରେ ହାତୀ ଶାବକର ମୃତ୍ୟୁ ଘଟିଲା, ସେ ସଂପର୍କରେ ବନ ବିଭାଗ କିଛି ସ୍ପଷ୍ଟ କରିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ରେଞ୍ଜର ବିଜୟ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସୋମବାର ସକାଳ ପ୍ରାୟ ୭.୩୦ ସମୟରେ ଫରେଷ୍ଟର ଉମାକାନ୍ତ ଜେନା ଓ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୁଲଡିହା ଅଭୟାରଣ୍ୟର ଜଡ଼ାଚୁଆବିଟ୍‌ ହାଉସ୍‌ ଅଧୀନ ରିଷିଆ ଡ୍ୟାମ୍‌ରେ ଦେଢବର୍ଷର ଏକ ହାତୀଛୁଆ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ କୁଲଡିହା ରେଞ୍ଜର ଶ୍ରୀ ମହାପାତ୍ର, ନୀଳଗିରି ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ।

ତେବେ ହାତୀଛୁଆକୁ କେହି ଦୁର୍ବୃତ୍ତ ମାରି ଡ୍ୟାମ୍‌କୁ ଫିଙ୍ଗି ଦେଇଛି ନା ହାତୀଛୁଆ ଡ୍ୟାମ୍‌ରେ ଖସିପଡ଼ି ପ୍ରାଣ ହରାଇଛି, ସେ ସଂକ୍ରାନ୍ତରେ ବନ ବିଭାଗ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନାହିଁ। କେବଳ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର