ବଲାଙ୍ଗୀର : କିନ୍ନରମାନେ ଆଉ ନିଜକୁ ଦୀନ ହୀନ କିଂବା ଅସହାୟ ମନେ କରିବେ ନାହିଁ। ସେମାନେ ମଧ୍ୟ ଅନ୍ୟ ପୁରୁଷ ମହିଳାଙ୍କ ଭଳି ଆତ୍ମନିର୍ଭରଶୀଳ ହେବେ। ଏଥିପାଇଁ ସୁଯୋଗ ସୃଷ୍ଟି କରିଛି ବଲାଙ୍ଗୀର ପୌରସଂସ୍ଥା। ଏବେ ବଲାଙ୍ଗୀର ସହରରେ କମାଲ ଦେଖାଇବେ କିନ୍ନର। ଆଜିଠାରୁ ବଲାଙ୍ଗୀର ସହର ଭିତରେ ଆବର୍ଜନା ଉଠାଇବା ପାଇଁ ଆରମ୍ଭ ହୋଇଛି ବ୍ୟାଟେରି ଚାଳିତ ସ୍ୱଚ୍ଛ ସବାରୀ ଗାଡ଼ି। ଆଉ ଏହି ଗାଡ଼ି ଚଳାଇବା ପାଇଁ ନିଯୁକ୍ତ ହୋଇଛନ୍ତି କିନ୍ନର।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ଦିନ ପ୍ରଥମ ପର୍ଯ୍ୟାୟରେ ୪ଟି ବ୍ୟାଟେରି ଚାଳିତ ଗାଡ଼ିର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା। ଆଗାମୀ ଦିନରେ ୧୬ ରୁ ୨୦ଟି ଗାଡ଼ି ଚଳାଯିବ। ପ୍ରଥମ ପର୍ଯ୍ୟାୟରେ କିନ୍ନରମାନେ ୩ଟି ୱାର୍ଡର ପଡ଼ାକୁ ପଡ଼ା ଯାଇ ଗାଡ଼ିରେ ମଇଳା ଆବର୍ଜନା ଉଠାଇବେ। ଆଗାମୀ ଦିନରେ ସହରର ପ୍ରତି ପଡ଼ାରେ କିନ୍ନରମାନେ ବ୍ୟାଟେରି ଚାଳିତ ଗାଡିରେ ମଇଳା ଆବର୍ଜନା ଉଠାଇ ୱେଷ୍ଟ ମ୍ୟାନେଜମେଣ୍ଟ ସେଣ୍ଟରକୁ ନେବେ। ଏଥିପାଇଁ ସହର ଭିତରେ କିନ୍ନରମାନଙ୍କୁ ନେଇ ମହାଲକ୍ଷ୍ମୀ ଏବଂ ମାଁ ସମଲେଶ୍ୱରୀ ନାମରେ ଦୁଇଟି ଏସ୍ଏଚ୍ଜି ଗଠନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁଦର୍ଶନ ସାଏ, ଜିଲ୍ଲା ସୂଚାନ ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ପ୍ରମୁଖ ଉପସ୍ଥିତଥିଲେ।