ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ନିକଟସ୍ଥ ଅର୍ଶଳା ଛକଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ଣରେ ଏକ ୧୪ ଚକିଆ ଟ୍ରକ୍ ଏକ ବାଇକ ଉପରେ ଚଢ଼ି ଯାଇଥିଲା। ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ତୁରୁମୁଙ୍ଗା ଥାନା ଅଧୀନସ୍ଥ ବଡଗମ୍ଭାରିଆ ଗ୍ରାମର ଆର୍ତ୍ତ ନାଏକଙ୍କ ପୁଅ କର୍ଣ୍ଣ ନାଏକ(୨୫)। ଗୁରୁତର ଆହତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରି ନାହିଁ। ତାଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏକ ବାଇକ୍ ( ଓଡି ୦୯ ଜେ ୫୯୯୪ ) ଯୋଗେ ଦୁଇ ଜଣ ବ୍ୟକ୍ତି ଝୁମ୍ପୁରା ବଜାର ଦେଇ ରିମୁଳି ଅଭିମୁଖେ ଯାଉଥିବା ବେଳେ ଅର୍ଶଳା ଛକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାରି ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଲୁହାପଥର ବୋଝେଇ କରି ଆସୁଥିବା ୧୪ ଚକିଆ ଟ୍ରକ୍ (ଓଡି ୧୪ ଏଚ୍ ୦୮୨୨) ବାଇକକୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଏମିତିକି କିଛି ବାଟ ଘୋଷାରି ନେଇଥିଲା। ଘଟଣାସ୍ଥଳରେ କର୍ଣ୍ଣ ନାୟକଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଝୁମ୍ପୁରା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର କର୍ଣ୍ଣଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଖବର ପାଇ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର, ହେଲପର ଫେରାର ହୋଇଯାଇଛନ୍ତି।