ସଟ୍ ସର୍କିଟ୍‌ କାରଣରୁ ଜଳିଗଲା ମାଲଗାଡ଼ି ଇଞ୍ଜିନ

ବଡ଼ବିଲ: ଆଜି ବଡ଼ବିଲ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ଏକ ମାଲଗାଡ଼ି ଇଂଜିନ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇ ନଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ହେବ। ୨୩୪୧୧ ଇଂଜିନଟି ବଗି ସହିତ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଡାଙ୍ଗୁଆପଶି ଷ୍ଟେସନରୁ ଲୁହାପଥର ନେବାକୁ ବଲାଣି ଷ୍ଟେସନକୁ ଆସୁଥିଲା। ସିଗନାଲ ନମିଳିବାରୁ କିଛି ସମୟ ପାଇଁ ଖାଲି ମାଲଗାଡ଼ିଟି ବଡ଼ବିଲ ଷ୍ଟେସନରେ ଅଟକି ରହିଥିଲା। ବଡ଼ବିଲ ରେଳ ଷ୍ଟେସନରେ ଠିଆ ହୋଇଥିବା ରେଳ ଇଂଜିନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବା ଜାଣି ଡ୍ରାଇଭର ଇଂଜିନକୁ ବଗିରୁ ଅଲଗା କରିଦେଇଥିଲେ। ଫଳରେ ଏକ ବଡ଼ ଧରଣର ବିପଦରୁ ମାଲଗାଡ଼ିଟି ରକ୍ଷା ପାଇଯାଇଥିଲା। ସେପଟେ ଖବର ପାଇ ବଡ଼ବିଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ଇଂଜିନର ପ୍ରାୟ ୯୦ ଭାଗ ଜଳି ଯାଇଥିଲା। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନଥିଲେ ହେଁ, ସଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି। ରେଳବାଇ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର