ଚନ୍ଦକା ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଆଗକୁ ଭୟ ରହିଛି, ପୁଣି ସତର୍କ କଲା ଟାସ୍କଫୋର୍ସ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ବନାଗ୍ନି ସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ରରୁ ଆସିଥିବା ପ୍ରତିନିଧି ଦଳ ଶିମିଳିପାଳ ଏବଂ କୁଳଡ଼ିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରୀଙ୍କ ସହିତ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ଆଜି ସୋମବାର ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ବନାଗ୍ନି ସଂପର୍କରେ ଗଠିତ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଆଜି ସୂଚନା ଦେଇଛି। କେବଳ ସେତିକି ନୁହେଁ, ଟାସ୍କଫୋର୍ସ ଗଣମାଧ୍ୟମକୁ ଆହୁରି କହିଛି ଯେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଭାବେ ଆୟତ୍ତାଧୀନ ରହିଛି। ହେଲେ ଆସନ୍ତା ଦିନରେ ତାପମାତ୍ରା ଆହୁରି ବଢ଼ିବ ଏବଂ ବନାଗ୍ନି ବଢ଼ିପାରେ। ସେ ଭୟ ରହିଥିବା ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀଙ୍କୁ ସେମାନଙ୍କ ଅଞ୍ଚଳରେ ନିଆଁ ରୋକିବା ଲାଗି ସମ୍ପୂର୍ଣ୍ଣ ସତର୍କ ଏବଂ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି।
ରବିବାର ଏକ ପ୍ରେସ ଇସ୍ତାହାରରେ ଟାସ୍କଫୋର୍ସ କହିଛି ଯେ ଅଗ୍ନି ପ୍ରଶମନ ଲାଗି ସ୍ଥାନୀୟ ସଂପ୍ରଦାୟ, ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ସହଯୋଗ ଡିଏଫ୍ଓମାନେ ଲୋଡ଼ିବା ଦରକାର। ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଉଭୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ଡିଏଫଓ ଯୋଗାଯୋଗରେ ରହିବା ଲାଗି କୁହାଯାଇଛି। ସେହିଭଳି ପିସିସିଏଫ୍ କାର୍ଯ୍ୟାଳୟ ରାତ୍ରି ପାଟ୍ରୋଲିଂ ଏବଂ କ୍ଷେତ୍ର କର୍ମଚାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ବିଟ୍ ଗାର୍ଡଙ୍କ ସହ ସମସ୍ତ ବନ କ୍ଷେତ୍ର କର୍ମଚାରୀଙ୍କୁ ବନାଗ୍ନି ସୂଚନା ଅବିଳମ୍ବେ ଦିଆଯାଉଛି ଓ ବିହିତ କାର୍ଯ୍ୟାନୁଷ୍ଠାନ ଫଟୋ ତତ୍କାଳ ପଞ୍ଜୀକୃତ ମୋବାଇଲ୍ରେ ଦେବାକୁ କୁହାଯାଇଛି। କ୍ଷେତ୍ର କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କ୍ରମାଗତ ଅଗ୍ନି ଘଟଣା ଆଉ ପ୍ରାୟ ନାହିଁ ଏବଂ ୯୫ ପ୍ରତିଶତ ଉନ୍ନତି ଆସିଲାଣି।