ବାଲିପାଟଣା : ବାଲିପାଟଣା ବ୍ଲକ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ ବଟି ନ ଦେବାରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଖଣ୍ଡା ଚୋଟରୁ ସେ ଅଳ୍ପକେ ବର୍ତି ଯାଇଛନ୍ତି ମାତ୍ର ତାଙ୍କ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେହି ଗ୍ରାମର ନବ କିଶୋର ସାହୁ ମଧ୍ୟ ଆହତ ହୋଇଛନ୍ତି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ସ୍ବାଇଁ ଓ ନବ କିଶୋର ବନମାଳିପୁର ଫାଣ୍ଡିରେ ୨ଟି ଲିଖିତ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଶ୍ରୀ ସ୍ୱାଇଁ ନରିଶୋ ପଞ୍ଚାୟତ ବାଡ଼ୁଆ ସାହିରେ ଆମ ଗାଁ ଆମ ବିକାଶ ଯୋଜନାରେ କ୍ଲବ ଘର କାମ କରୁଥିଲେ। ସେହି ଗ୍ରାମର ସନ ସାହୁଙ୍କ ପୁଅ ଧୋବା ସାହୁ ଏବଂ ଦ୍ୱିଜବର ସାହୁଙ୍କ ପୁଅ କୁଲୁ ଓ ମିଲୁ କାମ ବାବଦରେ ତାଙ୍କୁ ୨୦ ହଜାର ଟଙ୍କା ମାଗୁଥିଲେ। ହେଲେ ଶ୍ରୀ ସ୍ୱାଇଁ ସେମାନଙ୍କୁ ଟଙ୍କା ଦେଇ ନ ଥିଲେ। ଆଜି ଦିନ ୧୦ଟା ବେଳେ ସେ ନିଆଳି ବଜାରରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବାଡ଼ୁଆ ସାହି ଗାଁରେ ଧୋବା, କୁଲୁ ଓ ମିଲୁ ତାଙ୍କୁ ଅଟକାଇଥିଲେ। ସେମାନେ ଶ୍ରୀ ସ୍ୱାଇଁଙ୍କୁ ଅତର୍କିତ ଭାବେ ଠେଙ୍ଗା, ତଡ଼ା ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ନବ କିଶୋର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଶ୍ରୀ ସ୍ୱାଇଁ ତଳେ ପଡ଼ିଯିବା ପରେ ତାଙ୍କ ପକେଟରୁ ୫ ହଜାର ଟଙ୍କା ଓ ବେକରୁ ୧୦ ଗ୍ରାମର ସୁନା ଚେନ ଛିଣ୍ଡାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଯାଇଛନ୍ତି। ଉକ୍ତ ଘଟଣାରେ ଥାନାରେ ମାମଲା ରୁଜୁ ହେବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଘଟଣାକୁ କେନ୍ଦ୍ର କରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।