ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ଖୁବ୍‌ଶୀଘ୍ର

୩୯ଜଣଙ୍କ ସାକ୍ଷାତକାର ନେଲା ସର୍ଚ୍ଚ କମିଟି

ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କୁଳପତି ଚୟନ ନେଇ ଗଠନ ହୋଇଥିବା ତିନି ଜଣିଆ ସର୍ଚ୍ଚ କମିଟି ୩୯ଜଣ ବରିଷ୍ଠ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ତିନି ଜଣଙ୍କ ନାମ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି ଜମିରଙ୍କ ନିକଟକୁ ପଠାଇଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ କୁଳାଧିପତି ତିିନି ଜଣ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ନୂଆ କୁଳପତିଙ୍କୁ ନିଯୁକ୍ତି ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଏବେ ପଶ୍ଚିମାଞ୍ଚଳ ଆର୍‌ଡିସି ଥିବାରୁ ବିଶ୍ୱବିଦ୍ୟାଳୟର ବହୁ ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ଦେଖାଯାଉଛି। ତେଣୁ ଖୁବ୍‌ ଶୀଘ୍ର ନୂତନ କୁଳପତିଙ୍କୁ ନିଯୁକ୍ତି ଦେବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ନେଇଛି। କୁଳପତି ଚୟନ ନେଇ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍‌.ରାୟ ଚୌଧୁରୀ, ନାଇଜର୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଭି.ଚନ୍ଦ୍ରଶେଖର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡି.ଆର୍‌ ନାୟକଙ୍କୁ ନେଇ ସର୍ଚ୍ଚ କମିଟି ଗଠନ ହୋଇଛି। ଏହି କମିଟି ଦୁଇ ଦିନରେ ଆଶାୟୀ ୩୯ଜଣ ପ୍ରଫେସରଙ୍କ ସାକ୍ଷାତକାର ନେଇଛନ୍ତି। ରାଜଭବନ ଗେଷ୍ଟ ହାଉସ୍‌ରେ ଆୟୋଜିତ ଏହି ସାକ୍ଷାତକାରରେ ଶୁକ୍ରବାର ୨୦ଜଣ ପ୍ରଫେସରଙ୍କୁ ଡକାଯାଇଥିବାବେଳେ ଶନିବାର ୧୯ଜଣ ପ୍ରଫେସରଙ୍କ ସାକ୍ଷାତକାର ନିଆଯାଇଛି।

ସମସ୍ତ ଆଶାୟୀ ପ୍ରଫେସର ସମ୍ବଲପୁର ବିଶ୍ୱବିଦ୍ୟାଳୟ ନେଇ ସେମାନଙ୍କର ଯୋଜନା କ’ଣ ରହିଛି, ଭବିଷ୍ୟତ ଖସଡ଼ା କ’ଣ ପ୍ରସ୍ତୁତ କରିଛନ୍ତି, କୁଳପତି ହେଲେ କେଉଁ ଦିଗରେ ଗୁରୁତ୍ୱ ଦେବେ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମସ୍ୟା କ’ଣ ରହିଛି ଓ ଏହାର ସମାଧାନ କିପରି ହେବା ଦରକାର ଏବଂ ସେ କାହିଁକି ନିଯୁକ୍ତି ପାଇବା ଦରକାର ସେନେଇ ପାଓ୍ଵାର ପଏଣ୍ଟ ଉପସ୍ଥାପନା କରିଥିଲେ। ଏହାପରେ ସର୍ଚ୍ଚ କମିଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ସେମାନଙ୍କ ମତରେ ଶ୍ରେଷ୍ଠ ତିନି ଜଣଙ୍କ ନାମ କୁଳାଧିପତିଙ୍କୁ ସୁପାରିସ କରିଛନ୍ତି।

ସମ୍ବନ୍ଧିତ ଖବର