ଏସୀୟ କୁସ୍ତି: ସରିତା ପୁଣି ବିଜୟିନୀ, ସୀମା ଓ ପୂଜାଙ୍କୁ କାଂସ୍ୟ ପଦକ

ଅଲ୍‌ମାଟି: ଭାରତୀୟ କୁସ୍ତି ତାରକା ସରିତା ମୋର (୫୯ କେଜି) ଏସୀୟ କୁସ୍ତି ପ୍ରତିଯୋଗିତାରେ ପୁଣି କମାଲ କରିଛନ୍ତି। ୨୦୨୦ ‌ନୂଆଦିଲ୍ଲୀ ଏସୀୟ କୁସ୍ତି ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥର ଏଠାରେ ଚାଲିଥିବା ଏସୀୟ ପ୍ରତିଯୋଗିତାରେ ସରିତା ଗୁରୁବାର ଫାଇନାଲ୍‌ରେ ମଙ୍ଗୋଲିଆର ସୁଭ୍‌ଦୋର ବାତାରଜାଭ୍‌ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଏକ ସମୟରେ ୧-୭ରେ ପଛୁଆ ଥିବା ସରିତା ଚମତ୍କାର ପ୍ରତ୍ୟାବର୍ତନ କରି ଲଗାତାର ୯ ପଏଣ୍ଟ୍‌ ହାସଲ କରି ଶେଷରେ ୧୦-୭ରେ ବିଜୟୀ ହୋଇଥିଲେ।

ଅନ୍ୟପକ୍ଷରେ ଅନ୍ୟ ଦୁଇ ଭାରତୀୟ ସୀମା ବିସ୍‌ଲା (୫୦ କେଜି) ଓ ପୂଜା (୭୬ ‌କେଜି) କାଂସ୍ୟ ପଦକ ଜିତିନେଇଛନ୍ତି। ଗୁରୁବାର କାଂସ୍ୟ ପଦକ ମୁକାବିଲାରେ ସୀମା ଟେକ୍‌ନିକାଲ ସୁପରିଅରିଟିରେ ତାଇପେର ୟୁଙ୍ଗ ସୁନ୍‌ ଲିନ୍‌ଙ୍କୁ ପରାସ୍ତ କରିଛନ୍ତି। ସେହପରି ପୂଜା କୋରିଆର ସେୟନ୍‌ ଜିଓଙ୍ଗ୍‌ଙ୍କୁ ୫-୨ରେ ପରାସ୍ତ କରି କାଂସ୍ୟ ପଦକ କରାୟତ୍ତ କରିନେଇଥିଲେ। ତେବେ ୬୮ କେଜି ବର୍ଗରେ ନିଶା ପ୍ରଥମ ଦୁଇ ବାଉଟ୍‌ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର