ଚୋକ୍ସି ହସ୍ପିଟାଲ୍ରେ ଭର୍ତ୍ତି: ଡୋମିନିକା ଯାଇଥିବା ମହିଳା ତାଙ୍କ ପ୍ରେମିକା ନୁହେଁ
ପ୍ରାଇଭେଟ୍ ଜେଟ୍ରେ ଆଣିବାରେ ଖର୍ଚ୍ଚ ହେବ ୩ କୋଟି
ନୂଆଦିଲ୍ଲୀ: ଆଣ୍ଟିଗୁଆରୁ ରହସ୍ୟମୟ ଭାବେ ନିଖୋଜ ହେବା ଓ ପଡ଼ୋଶୀ ଦେଶ ଡୋମିନିକାରେ ଗିରଫ ହୋଇଥିବା ପିଏନ୍ବି ଠକେଇ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ଡୋମିନିକାର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିଛି। ଗତକାଲି ତାଙ୍କର ଭାଇରାଲ୍ ହୋଇଥିବା ଫଟୋରେ ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ଲାଲ୍ ହୋଇଯାଇଥିବା ଏବଂ ହାତରେ ମାଡ଼ ଦାଗ ଥିବା ଦେଖିବାକୁ ମିଳିଥିଲା। ଆଜି ତାଙ୍କର ବିଚାର ବିଭାଗୀୟ ହେପାଜତ ମିଆଦ ଶେଷ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗଷ୍ଟନ ବ୍ରାଉନ୍ କହିଥିଲେ ଯେ ଚୋକ୍ସି ନିଜ ପ୍ରେମିକାଙ୍କୁ ରୋମାଣ୍ଟିକ୍ ଟ୍ରିପ୍ରେ ଡୋମିନିକା ନେଇ ଯାଇଥିଲେ। ସେଠାରେ ସେ ଧରାପଡ଼ିଛନ୍ତି। କିନ୍ତୁ ଅଧିକ ଖୋଳତାଡ଼ କରିବା ପରେ ଜଣାପଡ଼ିଛି ଯେ ତାଙ୍କ ସହିତ ଯେଉଁ ମହିଳା ଡୋମିିନିକା ଯାଇଥିଲେ ସେ ତାଙ୍କ ପ୍ରେମିକା ନୁହନ୍ତି। ଆଣ୍ଟିଗୁଆ ଓ ବରବୁଦାରୁ ତାଙ୍କୁ ଅପହରଣ କରିବା ଲାଗି ଯେଉଁ ଟିମ୍ ଯାଇଥିଲେ ମହିଳା ଜଣକ ସେହି ଟିମ୍ର ଜଣେ ସଦସ୍ୟା ଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡ଼ିଛି ଯେ ଚୋକ୍ସିଙ୍କ ପ୍ରେମିକା କୁହାଯାଉଥିବା ମହିଳା ଜଣକ କିଛି ଦିନ ହେଲାଣି ଆଣ୍ଟିଗୁଆରେ ରହୁଥିଲେ।
ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ ସମୟର ସେ ଚୋକ୍ସିଙ୍କୁ ଭେଟୁଥିଲେ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ମେ’ ୨୩ ତାରିଖ ଦିନ ମହିଳା ଜଣକ ଚୋକ୍ସିଙ୍କୁ ନିଜ ଆପାର୍ଟମେଣ୍ଟ୍କୁ ଡାକିଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଟିମ୍ ଚୋକ୍ସିଙ୍କୁ ଅପହରଣ କରି ଏକ ବୋଟ୍ ଜରିଆରେ ଡୋମିନିକା ନେଇଥିଲେ। ଯେଉଁ ବୋଟ୍ରେ ଚୋକ୍ସିଙ୍କୁ ଡୋମିିନିକା ନିଆଯାଇଥିଲା ତାହାର ଫଟୋ ଭାଇରାଲ୍ ହୋଇଛି। ତେବେ ଉକ୍ତ ବୋଟ୍ ଚଲାଉଥିବା ସଂସ୍ଥା ତରଫରୁ ଚୋକ୍ସି ସେଥିରେ ଯାଇଥିଲେ ବୋଲି ଖଣ୍ଡନ କରାଯାଇଛି। ବୋଟ୍ରେ ଯେଉଁ ଦୁଇ ଜଣ ଭାରତୀୟଙ୍କୁ ଦେଖିବାକୁ ମିଳୁଛି ସେମାନେ ଡୋମିନିକା ଛାଡ଼ି ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି। ଏହା ପୂର୍ବରୁ ସେମାନେ ସେଠାକାର ଏକ ସ୍ଥାନୀୟ ହୋଟେଲ୍ରେ ରହୁଥିଲେ।
ଅନ୍ୟ ପକ୍ଷରେ ଚୋକ୍ସିଙ୍କୁ ଆଣିବା ଲାଗି ଏକ ପ୍ରାଇଭେଟ୍ ଜେଟ୍ ଡୋମିନିକାରେ ପହଞ୍ଚିଛି। ଭାରତ ସରକାର ସମସ୍ତ କାଗଜପତ୍ର ମଧ୍ୟ ଡୋମିନିକା ପଠାଇଛନ୍ତି। ସେହି ଜେଟ୍ର ଘଣ୍ଟା ପିଛା ଉଡ଼ାଣ ଭଡ଼ା ହେଉଛି ସାଢ଼େ ଆଠ ଲକ୍ଷ ଟଙ୍କା। ବିମାନରେ ଭାରତରୁ ଆଣ୍ଟିଗୁଆ ଯିବା ଲାଗି ୧୬-୧୭ ଘଣ୍ଟା ସମୟ ଲାଗିଥାଏ। ସେହି ଦୃଷ୍ଟିରୁ ଚୋକ୍ସିଙ୍କୁ ଭାରତ ଫେରାଇ ଆଣିବା ଲାଗି କେବଳ ଜେଟ୍ ଭଡ଼ା ବାବଦରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।