ଆର୍‌ଏସ୍‌ପିରେ ବଡ଼ଧରଣର ଶ୍ରମିକ ଧର୍ମଘଟ: ୪୯ ବିଭାଗ ପ୍ରଭାବିତ, ଉତ୍ପାଦନ ଠପ୍‌

୨୪ ଘଣ୍ଟିଆ ଧର୍ମଘଟରେ ୮୦୦୦ ଶ୍ରମିକ ସାମିଲ୍‌, କ୍ଷତିର ପରିମାଣ ୧୫୦ କୋଟି ହୋଇପାରେ

ରାଉରକେଲା : ସେଲ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ଶ୍ରମିକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଏବଂ ଏନ୍‌ଜେସିଏସ୍‌ (ନ୍ୟାସନାଲ୍‌ ଜଏଣ୍ଟ କମିଟି ଫର୍‌ ଷ୍ଟିଲ) ବୈଠକରେ ସମ୍ମାନଜନକ ମଜୁରି ଚୁକ୍ତିନାମା ଦାବିରେ ଅନୁଷ୍ଠିତ ମିଳିତ ଶ୍ରମିକ ସଂଗଠନଙ୍କ ଧର୍ମଘଟର ପ୍ରଭାବରେ ଆଜି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଭୀଷଣ ଭାବେ ପ୍ରଭାବିତ ହୋଇଛି। କାରଖାନାର ପ୍ରାୟ ୪୯ଟି ବିଭାଗର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ସମୁଦାୟ ୮୦ ପ୍ରତିଶତ ଉତ୍ପାଦନ ଠପ୍‌ ହୋଇଯାଇଥିବା ଆକଳନ କରାଯାଇଛି। ଆର୍‌ଏସ୍‌ପି ଇତିହାସରେ ଏଭଳି ବଡ଼ଧରଣର ଧର୍ମଘଟ କେବେ ହୋଇନଥିଲା ବୋଲି କୁହାଯାଉଛି। ସମଗ୍ର ରାଉରକେଲା ସହର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

ସକାଳ ୬ଟାରୁ ଶ୍ରମିକ ନେତା ଓ କର୍ମୀମାନେ ଆର୍‌ଏସ୍‌ପି ମୁଖ୍ୟଗେଟ୍‌, ବଣିଆଗେଟ୍‌, ଟ୍ରାଫିକ୍‌ଗେଟ, ବିର୍ସା ମୁଣ୍ଡା ଛକ ଗେଟ, ସାରନଗରୀ ଆଦି ଗେଟ୍‌ରେ ଦଳୀୟ ପତାକା ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ଇସ୍ପାତ ଶ୍ରମିକଙ୍କୁ୧୫% ଏମ୍‌ଜିବି, ୩୫% ପର୍କ, ୯% ପେନ୍‌ସନ୍‌ ପ୍ରଦାନ କରିବା, ବିନା ସିଲିଂରେ ଗ୍ରାଚୁଇଟି ବ୍ୟବସ୍ଥା ଚାଲୁ ରଖିବା, ଶ୍ରମିକ କର୍ମଚାରୀଙ୍କୁ ୧.୧.୨୦୧୭ରୁ ସମ୍ପୂର୍ଣ୍ଣ ବାକିଆ ପ୍ରଦାନ କରିବା, ଠିକା ଶ୍ରମିକଙ୍କ ମଜୁରି ଚୁକ୍ତିନାମା ଏନ୍‌ଜେସିଏସ୍‌ କରିବା, କରୋନାରେ ମୃତ ସ୍ଥାୟୀ ଓ ଠିକା ଶ୍ରମିକ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ରାଶି ପ୍ରଦାନ ଆଦି ୮ ଦଫା ଦାବିକୁ ସେମାନେ ଦୋହରାଇଥିଲେ। ଧର୍ମଘଟକାରୀ କାରଖାନାକୁ ‘ଏ’ ଓ ‘ବି ସିଫ୍ଟରେ ଡ୍ୟୁଟିକୁ ଯାଉଥିବା ଓ ଡ୍ୟୁଟିରୁ ଫେରୁଥିବା କର୍ମଚାରୀଙ୍କୁ ଛାଡିନଥିଲେ। ଏହାକୁ କେନ୍ଦ୍ରକରି କିଛି ଗେଟ୍‌ରେ ପୁଲିସ- ଶ୍ରମିକ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

ତେବେ, ଧର୍ମଘଟ ଯୋଗୁ ଆର୍‌ଏସ୍‌ପିର ଉତ୍ପାଦନ ପ୍ରାୟ ୮୦% ବାଧାପ୍ରାପ୍ତ ହୋଇଛି। ବ୍ଲାଷ୍ଟଫର୍ଣ୍ଣେସ୍‌, କୋକୋ ଓଭେନ୍, ରୋଲିଂ ମିଲ୍‌, ଏସ୍‌ଏମ୍‌ଏସ୍‌ (ଷ୍ଟିଲ ମେଲ୍‌ଟିଂ ସପ୍‌)-୧ ଓ ୨ ସମେତ ୪୯ଟି ପ୍ରମୁଖ ବିଭାଗରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଭାଗୀୟ ଅଧିକାରୀ ପ୍ରତ୍ୟେକ ବିଭାଗରେ କାର୍ଯ୍ୟରତ ଠିକାଶ୍ରମିକଙ୍କୁ ନେଇ କାମ ଚଳାଇଥିଲେ ହେଁ ସଫଳ ହୋଇ ନଥିଲେ। ସକାଳେ ଗଣ୍ଡଗୋଳର ଆଶଙ୍କାରେ ଠିକା ଶ୍ରମିକମାନଙ୍କୁ ଗତରାତିରୁ କାରଖାନା ଭିତରେ ରଖାଯାଇଥିବା କୁହାଯାଉଛି। କେତେକ ବିଭାଗରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା, ଆଉ କିଛି ବିଭାଗରେ ଅଧିକାରୀଙ୍କ ଦ୍ବାରା ଚାଲୁଥିବା ମେସିନ୍‌ ଅଧାରୁ ବନ୍ଦ ହୋଇଯିବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ଷତିର ପରିମାଣ ବର୍ତ୍ତମାନ ହିସାବ କରା ଯାଇ ନଥିଲେ ହେଁ ଏକ ସୂତ୍ରରୁ ପ୍ରକାଶ ଯେ ଆଜିର ସାମୂହିକ ଧର୍ମଘଟ ଯୋଗୁ ଆର୍‌ଏସ୍‌ପିର କ୍ଷତିର ପରିମାଣ ୧୫୦ କୋଟି ଟଙ୍କା ହୋଇପାରେ!

ଏହି ୨୪ ଘଣ୍ଟିଆ ଧର୍ମଘଟରେ ଆର୍‌ଏସ୍‌ପିର ପ୍ରାୟ ୧୧ ହଜାର ଶ୍ରମିକଙ୍କ ଭିତରୁ ୮୦% ଅର୍ଥାତ୍‌ ୮୦୦୦ରୁ ଅଧିକ ସାମିଲ ହୋଇଥିଲେ। ଏହି ଧର୍ମଘଟକୁ ଐତିହାସିକ ଏବଂ ସେଲ୍‌ ଇତିହାସ‌ରେ ପ୍ରଥମକରି ଏହିଭଳି ଏକ ଧର୍ମଘଟ ହୋଇଥିବା କହିଛନ୍ତି ସିଆଇଟିୟୁର ସର୍ବଭାରତୀୟ ସଭାପତି ବିଷ୍ଣୁ ମହାନ୍ତି।

ସମ୍ବନ୍ଧିତ ଖବର